Categories: ଖେଳ

ଆଜିର ଦିନରେ ଇତିହାସ ରଚିଥିଲେ ଯୁବରାଜ

ନୂଆଦିଲ୍ଲୀ,୧୯।୯: ସେପ୍ଟେମ୍ବର ୧୯, ୨୦୦୭, ସ୍ଥାନ- ଦକ୍ଷିଣ ଆଫ୍ରିକାର ଡର୍ବାନ ଗ୍ରାଉଣ୍ଡରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଇତିହାସ ରଚିଥିଲେ। ୧୪ ବର୍ଷ ପୂର୍ବେ ଏହି ଦିନ ଯୁବରାଜ କ୍ରମାଗତ ୬ ଟି ବଲରେ ୬ ଟି ଛକା ମାରିଥିଲେ। ସେ ପେସର୍‌ ଷ୍ଟୁଆର୍ଟ ବ୍ରଡଙ୍କୁ ଟାର୍ଗେଟ କରିଥିଲେ ଏବଂ ତାଙ୍କ ଜ୍ୱଳନ୍ତ ଇନିଂସରେ ୧୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ୟୁଭିଙ୍କ ଏହି ରେକର୍ଡ ଆଜି ବି ଅକ୍ଷୁର୍ଣ୍ଣ ରହିଛି।
୨୦୦୭ ଟି -୨୦ ବିଶ୍ୱକପରେ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଦଳର ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଡର୍ବାନ ଗ୍ରାଉଣ୍ଡରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବୀରେନ୍ଦ୍ର ସେହ୍ବାଗ ୫୮ ଏବଂ ଗୌତମ ଗମ୍ଭୀର ୬୮ ରନ ସ୍କୋର କରି ୧୪.୪ ଓଭରରେ ୧୩୬ ରନର ଓପନିଂ ଭାଗିଦାରୀ କରିଥିଲେ। ରବିନ ଉଥାପ୍ପା ଭାବରେ ଭାରତର ତୃତୀୟ ଉଇକେଟ ଖସିଯିବା ପରେ ଯୁବରାଜ ସିଂ ପଡ଼ିଆକୁ ଆସିଥିଲେ। ୟୁଭିଙ୍କ ସହ ଧୋନୀ ମଧ୍ୟ କ୍ରିଜରେ ଉପସ୍ଥିତ ଥିଲେ। ଇନିଂସର ୧୯ତମ ଓଭରରେ ୟୁଭି ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ଟି ଛକା ମାରିଥିଲେ। ରୋହିତ ଶର୍ମା ଏହି ମ୍ୟାଚରୁ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟରେ ଡେବ୍ୟୁ କରିଥିଲେ ମଧ୍ୟ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳି ନଥିଲା।
ଏହି ମ୍ୟାଚରେ ଯୁବରାଜ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ସେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇ ଟି -୨୦ ଫର୍ମାଟରେ ଅନ୍ତର୍ଜାତୀୟ ସ୍ତରରେ ଏକ ଓଭରରେ ଲଗାତାର ୬ ଟି ଛକା ମାରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ହର୍ସେଲ ଗିବ୍ସଙ୍କ ପରେ ସେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ। ଯୁବରାଜ ୧୨ ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହା ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ଦ୍ରୁତତମ ପଚାଶ ଅଟେ। ଯୁବରାଜ ୩ଟି ଚୌକା ଓ ୭ ଛକା ସହାୟତାରେ ୧୬ ବଲ୍‌ରୁ ୫୮ ରନର ସଂଗ୍ରହ କରିଥିଲେ। ତାଙ୍କର ଷ୍ଟ୍ରାଇକ ହାର ୩୬୨.୫୦ ଥିଲା। ଭାରତ ଏହି ମ୍ୟାଚ୍‌ରେ ୪ ଉଇକେଟ୍‌ ହରାଇ ୨୧୮ ରନ ସଂଗ୍ରହ କରିଥିଲା ଏବଂ ଇଂଲଣ୍ଡ ଦଳ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୨୦୦ ରନ ସ୍କୋର କରିପାରିଥିଲା। ଫଲରେ ଭାରତ ଏହି ମ୍ୟାଚକୁ ୧୮ ରନରେ ଜିତିଥିଲା ଏବଂ ୟୁଭି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।

 

Share