Categories: ଖେଳ

ବାପା ହେଲେ ଯୁବରାଜ

ଚଣ୍ଡିଗଡ,୨୬।୧: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଏକ ଶିଶୁପୁତ୍ରର ପିତା ହୋଇଛନ୍ତି। ୪୦ ବର୍ଷୀୟ ଯୁବରାଜ ମଙ୍ଗଳବାର ବିଳମ୍ବିତ ରାତିରେ ଟୁଇଟ କରି ଏହି ସୂଚନା ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଏହି ଖୁସି ଖବର ବାଣ୍ଟି ସେ ସମସ୍ତଙ୍କୁ ଗୋପନୀୟତାକୁ ସମ୍ମାନ କରିବାକୁ ଅନୁରୋଧ କରିଛନ୍ତି।
ଯୁବରାଜ ଟୁଇଟ୍‌ କରି କହିଛନ୍ତି, ଆମର ସମସ୍ତ ପ୍ରଶଂସକ, ପରିବାର ଏବଂ ବନ୍ଧୁମାନଙ୍କ ସହ ଖୁସି ଖବର ବାଣ୍ଟି ଆନନ୍ଦିତ ଯେ ଆଜି ଭଗବାନ ଆମକୁ ଏକ ଶିଶୁପୁତ୍ରରେ ଆଶୀର୍ବାଦ ଦେଇଛନ୍ତି। ଏକ ସନ୍ତାନ ଜନ୍ମ ପାଇଁ ଆମେ ଭଗବାନଙ୍କୁ ଧନ୍ୟବାଦ ଦେଉଛୁ। ଆମ ଗୋପନୀୟତାକୁ ସମ୍ମାନ କରିବାକୁ ଚାହୁଁଛି।
ବାମହାତୀ ତାରକା ବ୍ୟାଟ୍ସମ୍ୟାନ ଯୁବରାଜ ୨୦୧୨ରେ କ୍ୟାନ୍‌ସର ରୋଗରୁ ମୁକ୍ତି ପାଇବା ପରେ ନଭେମ୍ବର ୨୦୧୫ରେ ହେଜେଲ କିଚଙ୍କୁ ଭେଟିଥିଲେ। ଏକ ବର୍ଷ ପରେ ନଭେମ୍ବର ୨୦୧୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
ଯୁବରାଜ ତାଙ୍କର ୧୭ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ୪୦୨ ମ୍ୟାଚ ଖେଳିଥିଲେ। ଏହି ସମୟ ମଧ୍ୟରେ ୧୧୭୭୮ ରନ ସ୍କୋର କରିଥିଲେ। ଏହି ସମୟ ମଧ୍ୟରେ ଯୁବରାଜ ୧୭ ଶତକ ଏବଂ ୭୧ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ବୋଲିଂରେ ମଧ୍ୟ ଉଲ୍ଲେଖନୀୟ ଅବଦାନ ରଖିଥିଲେ ଏବଂ ୧୪୮ ଉଇକେଟ ନେଇଥିଲେ।

 

Share