Categories: ଖେଳ

ଯୁବରାଜ ସିଂ ଗିରଫ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୧୦: ସୋସିଆଲ ମିଡିଆରେ ଅନୁସୂଚିତ ଜାତି ବିରୋଧରେ ମନ୍ତବ୍ୟ ଦେଇଥିବାରୁ ହାନସି ପୋଲିସ କ୍ରିକେଟର ଯୁବରାଜ ସିଂଙ୍କୁ ଗିରଫ କରିଛି। ଏହି ଗିରଫ ୨୦୨୦ର ଏକ ମାମଲାରେ ହୋଇଛି। ଗିରଫ ହେବାର କିଛି ସମୟ ପରେ ଯୁବରାଜ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜାମିନ ପାଇଥିଲେ। ଏବେ ହାନସୀ ପୋଲିସ ଯୁବରାଜ ସିଂଙ୍କ ବିରୋଧରେ ଏକ ଚ୍ୟାଲେଞ୍ଜ ଉପସ୍ଥାପନ କରିବ। ହାନସୀ ପୋଲିସର ପିଆରଓ ସୁଭାଷ କୁମାର କହିଛନ୍ତି, ଯୁବରାଜଙ୍କୁ ଶନିବାର ଗିରଫ କରାଯାଇଥିଲା। ତାଙ୍କୁ ତଦନ୍ତରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ତାଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରାଯାଇଛି। ଡିଏସପି ବିନୋଦ ଶଙ୍କର ଯୁବରାଜ ସିଂଙ୍କୁ ପଚରାଉଚରା କରିଛନ୍ତି।
ସୂଚନା ଅନୁସାରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ଯୁବରାଜ ରୋହିତ ଶର୍ମାଙ୍କ ସହ ଗତ ବର୍ଷ ଲକଡାଉନ ସମୟରେ ଏକ ଇନଷ୍ଟାଗ୍ରାମ ଲାଇଭରେ କଥାବାର୍ତ୍ତା କରୁଥିଲେ। ଏହି ସମୟ ମଧ୍ୟରେ ସେ ଦଳିତଙ୍କ ବିରୋଧରେ ଏକ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ। ସେ ଏହି କଥା ୟୁଜବେନ୍ଦ୍ର ଚହଲଙ୍କୁ କହିଥିଲେ। ଏହା ପରେ ପ୍ରଶଂସକମାନେ ତାଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହି କାରଣରୁ ଦଳିତ ମାନବ ଅଧିକାରର ସଂଯୋଜକ ରଜତ କଲସାନ ଗତ ବର୍ଷ ଜୁନ ୨ରେ ଏକ ମାମଲା ଦାୟର କରି ତାଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏହି ଅଭିଯୋଗ ଯୁବରାଜଙ୍କ ବିରୋଧରେ ହିଜରସ୍ଥିତ ହାନସୀ ନଗର ପୋଲିସ ଷ୍ଟେଶନରେ ହୋଇଥିଲା। ଆଇପିସିର ଧାରା ୧୫୩, ୧୫୩ ଏ, ୨୯୫, ୫୦୫ ବ୍ୟତୀତ ତାଙ୍କ ଉପରେ ଏସସି/ଏସଟି ଅଧିନିୟମ ଲାଗୁ କରାଯାଇଛି।
ତେବେ ଏହି ମାମଲା ବଢ଼ିବା ପରେ ଯୁବରାଜ ମଧ୍ୟ କ୍ଷମା ମାଗିଥିଲେ। ସେ ଏକ ଟୁଇଟ୍‌ରେ କହିଥିଲେ ଯେ, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ରଙ୍ଗ, ଜାତି କିମ୍ବା ଲିଙ୍ଗ ଆଧାରରେ ମୁଁ କୌଣସି ପ୍ରକାର ଭେଦଭାବରେ ବିଶ୍ୱାସ କରେ ନାହିଁ। ମୁଁ ମୋ ଜୀବନକୁ ଲୋକଙ୍କ ମଙ୍ଗଳ ପାଇଁ ଉତ୍ସର୍ଗ କରିଛି ଏବଂ ଭବିଷ୍ୟତରେ ମଧ୍ୟ ସେପରି ବଞ୍ଚିବାକୁ ଚାହୁଁଛି। ମୁଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମ୍ମାନ କରେ। ମୁଁ ମୋର ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା କରୁଥିଲି ଏବଂ ସେହି ସମୟରେ ମୋ କଥାକୁ ଭୁଲ ଉପାୟରେ ନିଆଯାଇଥିଲା, ଯାହା ଅନୁପଯୁକ୍ତ ଥିଲା। ତଥାପି, ଜଣେ ଦାୟିତ୍ୱବାନ ଭାରତୀୟ ଭାବରେ, ମୁଁ କହିବାକୁ ଚାହେଁ ଯେ ଯଦି ମୋର ଶବ୍ଦ ଅଜାଣତରେ କାହାକୁ ଆଘାତ ଦେଇଛି, ତେବେ ମୁଁ ମୋର ଦୁଃଖ ପ୍ରକାଶ କରୁଛି। ଦେଶ ତଥା ଦେଶର ଲୋକଙ୍କ ପ୍ରତି ମୋର ପ୍ରେମ ସର୍ବଦା ରହିବ।

Share