ନୁପୁର ଶର୍ମାଙ୍କ ଉପରେ ଉତ୍ତେଜନାମୂଳକ ଭିଡିଓ କରି ଗିରଫ ହେଲେ କଶ୍ମୀରର ୟୁଟ୍ୟୁବର୍‌

ନୂଆଦିଲ୍ଲୀ,୧୧।୬: ନିଲମ୍ବିତ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କ ମୁଣ୍ଡ ବିରୋଧରେ ଉତ୍ତେଜନାମୂଳକ ଭିଡିଓ କରି ଗିରଫ ହୋଇଛନ୍ତି କଶ୍ମୀରର ୟୁ-ଟ୍ୟୁବର ଫୈଜଲ ୱାନି। ଶନିବାର ତାଙ୍କୁ ଜମ୍ମୁ-କଶ୍ମୀର ପୁଲିସ ଗିରଫ କରିଛି।

ୟୁଟ୍ୟୁବ୍‌ରେ ଫୈଜଲଙ୍କର ‘ଡିପ୍‌ ପେନ୍‌ ଫିଟ୍‌ନେସ୍‌’ ନାମରେ ଏକ ଚ୍ୟାନେଲ ରହିଛି। ସେ ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ଗତ ସପ୍ତାହରେ ନିଜେ ଖୋଲା ଦେହରେ ଥାଇ ଏକ ଭିଡିଓ କରିଥିଲେ। ଏଥିରେ ସେ ଏକ ଖଣ୍ଡା ଧରି ନୂପୁର ଶର୍ମାଙ୍କ ଫଟୋର ବେକ କାଟୁଥିବା ଦୃଶ୍ୟ ରହିଥିଲା। ପ୍ରଫେଟ ମହମ୍ମଦଙ୍କ ବିରୋଧରେ ନୂପୁର ଶର୍ମା ଦେଇଥିବା ବିବାଦୀୟ ବୟାନର ପ୍ରତିବାଦ ସ୍ବରୂପ ଫୈଜଲ ଏଭଳି ଭିଡିଓ କରିଥିଲେ। ତେବେ ଏହି ଭିଡିଓଟିକୁ ନେଇ ବିବାଦ ସୃଷ୍ଟି ହେବାରୁ ସେ ଏହାକୁ ଡିଲିଟ କରି ଦେଇଥିଲେ।

ଏପରିକି ଫୈଜଲ ଆଉ ଗୋଟିଏ ଭିଡିଓ ପୋଷ୍ଟ କରି କହିଥିଲେ, ‘ମୁଁ ହିଁ ଉକ୍ତ ଭିଡିଓ ଭିଏଫ୍‌ଏକ୍ସ ଜରିଆରେ ତିଆରି କରିଥିଲି। କିନ୍ତୁ ମୋର କୌଣସି ମନ୍ଦ ଉଦ୍ଦେଶ୍ୟ କିମ୍ବା ହିଂସା ସୃଷ୍ଟି କରିବାର ଲକ୍ଷ୍ୟ ନ ଥିଲା। ମୁଁ ଏବେ ଉକ୍ତ ଭିଡିଓକୁ ଡିଲିଟ କରି ଦେଇଛି। ଯଦି ମୋ ଭିଡିଓ କାହାକୁ ଆଘାତ ଦେଇଥିବ, ତା’ହେଲେ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି। ଆମ ଇସଲାମରେ କେଉଁ ଧର୍ମକୁ ଅପମାନିତ କରିବାକୁ କେବେ ହେଲେ ଶିଖାଯାଇ ନ ଥାଏ ବୋଲି କହିଥିଲେ।’ ହେଲେ ତାଙ୍କର ଉକ୍ତ ଭିଡିଓ ବିରୋଧରେ ସଫା କାଦଲ ପୋଲିସ ଷ୍ଟେଶନରେ ଭାରତୀୟ ଦଣ୍ଡବିଧାନର ୫୦୫ ଏବଂ ୫୦୬ ଅନୁଯାୟୀ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଏହାପରେ ତାଙ୍କୁ ଗିରଫ କରାଯାଇଥିବା ଜମ୍ମୁ କଶ୍ମୀର ପୋଲିସ କହିଛି।

Share