ଯୁବକଙ୍କ ଉନ୍ମତ୍ତକାଣ୍ଡ:ବ୍ଲେଡ୍‌ରେ ଦୁଇ ଛାତ୍ରଙ୍କୁ କାଟିଲେ, ସେଲ୍‌ଫି ନେଲେ

ବଲାଙ୍ଗୀର ଅଫିସ, ୧୦ା୨: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଦୁଇ ଛାତ୍ରଙ୍କୁ ଜଣେ ପୁରାତନ ଛାତ୍ର ବ୍ଲେଡ୍‌ରେ କାଟିବା ପରେ ସେଲ୍‌ଫି ନେଇଛନ୍ତି। ଗୁରୁବାର ସନ୍ଧ୍ୟାରେ ସିମ୍‌ରନ୍‌ ନାମକ ଜଣେ ପୂର୍ବତନ ଛାତ୍ର ହଷ୍ଟେଲରେ ରହୁଥିବା ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ଋତୁରାଜ ସିଂ ଓ ଅମିତ ମେହେରଙ୍କୁ ବ୍ଲେଡ୍‌ରେ ଆକ୍ରମଣ କରିଥିଲେ। ଆକ୍ରମଣ କରିବା ପରେ ସିମ୍‌ରନ୍‌ ମୋବାଇଲରେ ସେଲ୍‌ଫି ନେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଆହତ ଛାତ୍ର ଦ୍ୱୟଙ୍କୁ ଭୀମ ଭୋଇ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ପୋଲିସ ଖବର ପାଇବା ପରେ ଆକ୍ରମଣକାରୀ ସିମ୍‌ରନ୍‌ଙ୍କୁ ଅଟକ ରଖିଛି। ସଦର ଏସ୍‌ଡିପିଓ ତୋଫାନ ବାଗଙ୍କୁ ପଚାରିବାରୁ ସିମ୍‌ରନ୍‌ଙ୍କୁ ପୋଲିସ ଅଟକ ରଖି ଘଟଣା ସମ୍ପର୍କରେ ତଦନ୍ତ କରାଯାଉଛି ବୋଲି କହିଛନ୍ତି। ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଥିବା ହଷ୍ଟେଲ ଛାତ୍ରୀଛାତ୍ରମାନେ ଭୟଭୀତ ହୋଇପଡିଥିବା ଜଣାପଡ଼ିଛି।