କୂଅରୁ ମିଳିଲା ଯୁବକଙ୍କ ମୃତଦେହ: ଗାଁରେ ପଡିଛି ଚହଳ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗାଁ ମା’ ମାଣିକେଶରୀ ମନ୍ଦିର ନିକଟ ଶ୍ରୀ ମଦନ ମୋହନ ମନ୍ଦିର ପରିସରରେ ଥିବା କୂଅରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ହେଲେ ପୂର୍ଣ୍ଣଚନ୍ଦ୍ର ରାଉତ(୪୬)।

ମିଳିଥିବା ସୂଚନା ମୁତାବକ, ସକାଳେ ମନ୍ଦିର ପୂଜକ ପୂଜା ପାଇଁ କୂଅରୁ ପାଣି ଆଣିବା ପାଇଁ ଯାଇଥିବା ବେଳେ କୂଅ ଭିତରେ କୌଣସି ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ଖବର ପ୍ରଚାରିତ ହେବା ପରେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କରିବା ପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡା. ବାହନ ଦାସ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ହିଞ୍ଜିଳି ଥାନାରେ ଏତଲା ଦେବା ପରେ ଆଇଆଇସି ଶ୍ରୀନିବାସ ସେଠୀ ଏକ ଅପମୃତ୍ୟୁ ମାମଲା(ନଂ.୧୫/୨୬) ରୁଜୁ କରିଥିଲେ। ପୋଲିସ ଟିମ୍‌ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।

ଅନ୍ୟପକ୍ଷେ ରବିବାର ବିଳମ୍ବିତ ରାତିରେ ପୂର୍ଣ୍ଣଚନ୍ଦ୍ର ଏବଂ କିଛି ବ୍ୟକ୍ତି ମନ୍ଦିର ପରିସରରେ ଜୁଆ ଖେଳୁଥିଲେ। ମିଛରେ କେହି ଜଣେ ପୋଲିସ ପୋଲିସ ବୋଲି ପାଟି କରିବାରୁ ସମସ୍ତେ ଦୌଡ଼ି ଥିଲେ। ହେଲେ ଅସାବଧାନତା କାରଣରୁ ଅନ୍ଧାର ରାତିରେ ପୂର୍ଣ୍ଣଚନ୍ଦ୍ର କୂଅ ମଧ୍ୟକୁ ଖସି ପଡ଼ିଥିଲେ ବୋଲି ଗାଁରେ ଚର୍ଚ୍ଚା ହେଉଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।