ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ ଗ୍ରାମର ଜଣେ ୩୫ ବର୍ଷୀୟ ଯୁବକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ନିଖୋଜ ଯୁବକ ଜଣକ ହେଉଛନ୍ତି ଅନିରୁଦ୍ଧ ବିଶ୍ୱାଳଙ୍କ ପୁଅ ଅନିର୍ବାଣ।
ମିଳିଥିବା ସୂଚନାନୁଯାୟୀ, ବୁଧବାର ଅନିର୍ବାଣ କୌଣସି କାମ ସାରି ବନ୍ୟାପାଣି ମଧ୍ୟ ଦେଇ ନିଜ ଘରକୁ ଫେରୁଥିଲେ। ମାତ୍ର ବନ୍ୟାଜଳର ପ୍ରବଳ ସ୍ରୋତ ଯୋଗୁ ସେ ଅସାବଧାନତା ବଶତଃ ପାଣିର ସ୍ରୋତରେ ଭାସିଯାଇଥିବା ସନ୍ଦେହ କରାଯାଉଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ମଧ୍ୟରେ ବ୍ୟାକୁଳତା ପ୍ରକାଶ ପାଇଥିଲା। ପରିବାର ଲୋକେ ଓ ସ୍ଥାନୀୟ ଗ୍ରାମବାସୀ ବହୁ ସମୟ ଧରି ଆଖପାଖ ଅଞ୍ଚଳ ଓ ନିକଟସ୍ଥ ଜଳରାଶି ମଧ୍ୟରେ ଖୋଜାଖୋଜି କରିଥିଲେ। ସୁଦ୍ଧା ଅନିର୍ବାଣଙ୍କର କୌଣସି ସନ୍ଧାନ ପାଇ ନ ଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଗୁରୁବାର ସକାଳେ ଚଉଦକୁଲାଟ ଫାଣ୍ଡି ଅଧିକାରୀ ନୃସିଂହ ଚରଣ ମହାନ୍ତି ତୁରନ୍ତ ନାହିଆ ଗ୍ରାମର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପରିସ୍ଥିତିର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ସେ ଆଶୁ ପଦକ୍ଷେପ ସ୍ବରୂପ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ତୁରନ୍ତ ଆଲର୍ଟ କରିଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି। ବୋଟ୍ ଓ ବୁଡ଼ାଳି ଦଳ ସାହାଯ୍ୟରେ ବନ୍ୟା ପ୍ରଭାବିତ ଜଳରାଶିରେ ଖୋଜାଖୋଜି କରାଯାଉଛି। ଏହି ଦୁର୍ଘଟଣା ପରେ ନାହିଆ ଗ୍ରାମ ଓ ଆଖପାଖ ପଞ୍ଚାୟତରେ ଗଭୀର ଶୋକ ଓ ଆଶଙ୍କାର ଛାୟା ଖେଳିଯାଇଛି। ଅନିର୍ବାଣଙ୍କ ପରିବାର ଲୋକେ ବର୍ତ୍ତମାନ ଭାଙ୍ଗିପଡ଼ିଥିବା ଖବର ଲେଖାଯିବା ପର୍ଯ୍ୟନ୍ତ ନିଖୋଜ ଯୁବକଙ୍କର କୌଣସି ପତ୍ତା ମିଳି ନ ଥିବାବେଳେ ଉଦ୍ଧାର କାର୍ଯ୍ୟ ଜୋର୍ଦାର ଚାଲିଛି।