ବାଣ ଭିଡ଼ାବେଳେ ବିସ୍ଫୋରଣ, ଯୁବକ ମୃତ

ଭୁବନେଶ୍ୱର,୪l୪ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଜନବସତି ଭିତରେ ବେଆଇନ ଭାବେ ଚାଲିଥିଲା ବାଣ ତିଆରି। ହଠାତ୍‌ ବିସ୍ଫୋରଣ ହେବାରୁ ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଶହୀଦନଗର ଥାନା ଅନ୍ତର୍ଗତ ଭିଏସ୍‌ଏସ୍‌ନଗର ଜିଏଲ୍‌ କଲୋନିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ହେଲେ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଶିବାନନ୍ଦ ତଡା। ସେ ଏଠାରେ ରହି ବାଣ ତିଆରି କରିବା ସହ ବିକ୍ରି କରନ୍ତି। ତେବେ ବିସ୍ଫୋରଣ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇବା ସହ ଘରକୁ ସିଲ୍‌ କରିଦେଇଛି। ଅନ୍ୟପଟେ ସାଇବର ଥାନା ନିକଟରେ ଏହି ବେଆଇନ କାରବାର ଚାଲିଥିଲେ ମଧ୍ୟ ପୋଲିସ ପାଖରେ ଖବର ନ ରହିବା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସ୍ଥାନୀୟ ଲୋକଙ୍କ ସୂଚନାମୁତାବକ, ଶିବାନନ୍ଦ ତଡ଼ା ଦୀର୍ଘ ୩ବର୍ଷ ହେଲା ଏଠାରେ ରହି ବାଣ ଭିଡିବା ସହ ବେପାର କରିଥାନ୍ତି। ତେଣୁ ବାହାଘର ପାଇଁ ବରାଦ ଥିବାରୁ ସୋମବାର ସାରେ ଘର ବାରଣ୍ଡାରେ ବସି ବାଣ ଭିଡୁଥିଲେ। ଏହି ସମୟରେ ବାଣଟି ବିସ୍ପୋରଣ ହୋଇଥିଲା। ବିସ୍ପୋରଣର ତୀବ୍ରତା ଏତେ ଥିଲା ଯେ, ଘରର ଆଜ୍‌ବେଷ୍ଟସ ଉଡିବା ସହିତ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା। ଶବ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାକୁ ଦୌଡ ଆସି ଶିବାନନ୍ଦଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡିଥିବା ଦେଖିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲାବେଳେ ଗୋଡ, ମୁହଁ ସମେତ ଶରୀରର ବିଭିନ୍ନ ଅଂଶରେ ଗଭୀର ଆଘାତ ଲାଗିଥିଲା। ଗୋଡ଼ ସମେତ ଦେହର ବିଭିନ୍ନ ସ୍ଥାନରୁ ମାଂସ ଖଣ୍ଡ ବାହାରି ଯାଇଥିଲା। ସ୍ଥାନୀୟ ଲୋଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଗୁରୁତର ଅବସ୍ଥାରେ ଶିବାନନ୍ଦଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଥିବାବେଳେ ଅଧାବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବିଏମ୍‌ସି ମେୟର ସୁଲୋଚନା ଦାସ ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚତ୍ ଘଟଣା ବିଷୟରେ ପଚାରିବୁଝିଥିଲେ।