ବୈଶିଙ୍ଗା,୨୦।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ତଥା ବଡ଼ସାହି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦପୁର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ଯୋଗୁଁ ଜଣେ ଚାଷୀଙ୍କ ବିଲରେ ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ ବାଉଁଶବଣିଆ ଗ୍ରାମର ୪୬ ବର୍ଷିୟ ନିଳମାଧବ ସିଂ ମଙ୍ଗଳବାର ଖରା ଗଡିଯିବା ପରେ ପାଞ୍ଚଟା ସମୟରେ ବିଲକୁ ଖତ ପକାଇବା ପାଇଁ ଯାଇଥିଲେ। ହେଲେ ରାତି ପର୍ଯ୍ୟନ୍ତ ଆଉ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ।
ପରେ ରାତିରେ ବିଲ ପାଖ ଲୋକେ ବଜ୍ରପାତ ଯୋଗୁଁ ନିଳମାଧବ ଗୁରୁତର ଆହତ ହୋଇ ବିଲରେ ପଡ଼ିଥିବା ଖବର ଦେଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ମାଣତ୍ରି ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପିଠି ପାଖ ଜଳି ଯାଇଥିବା ଦେଖିବାକୁ ମିଳିଛି। ଖବରପାଇ ମାଣତ୍ରି ବିଟ୍ ହାଉସ୍ ଅଧିକାରୀ ଲମ୍ବୋଦର ବାରିକ ୨୪ / ୨୦୨୬ ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ତେବେ ନିଳମାଧବଙ୍କ ଉପରେ ତାଙ୍କର ପରିବାର ନିର୍ଭର କରୁଥିବା ଯୋଗୁଁ ତାଙ୍କୁ ଯଥାଶୀଘ୍ର ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।