ଶେରଗଡ଼,୨ା୮(ସୂର୍ଯ୍ୟ ନାରାୟଣ ଦାଶ): ଆଉ କିଛି ସମୟ ପରେ ବସ୍ ଆସିଥିଲେ ଗାଁରେ ପରିବାର ଲୋକଙ୍କ ନିକଟରେ ପହଞ୍ଚି ଥାନ୍ତେ। ସୁରଟରୁ ଆସି ଶେରଗଡ଼ ଚାରିଛକରେ ବସ୍କୁ ଅପେକ୍ଷା କରିଥିଲେ। ଅଥଚ ସେଠାରେ ଛକି ବସିଥିଲା ମୃତ୍ୟୁ। ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳି ଯାଇଥିଲେ ଯୁବକ। ଏପରି ଏକ ଅଭାବନୀୟ ଘଟଣା ଶନିବାର ଅପରାହ୍ନରେ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଶେରଗଡ଼ର ଚାରିଛକରେ।
ଖବରରୁ ଜଣାପଡିଛି, ଶେରଗଡ଼ ବ୍ଲକ ଦଶମୁଣ୍ଡଳୀ ଗ୍ରାମର ବୃନ୍ଦାବନ ଜେନାଙ୍କ ପୁଅ ଅଶୋକ(୩୫) ସୁରଟରେ କାମ କରନ୍ତି। ସେ ଗାଁକୁ ଆସିବାକୁ ଶନିବାର ଟ୍ରେନରେ ବ୍ରହ୍ମପୁର ଓ ପରେ ସେଠାରୁ ବସ୍ରେ ଆସି ଶେରଗଡ଼ ଚାରିଛକରେ ଅପରାହ୍ନ ସାଢେ ୩ଟାରେ ଓହ୍ଲାଇ ଥିଲେ। ଗାଁ ଦଶମୁଣ୍ଡଳୀ ଯିବାକୁ ସେ ସେଠାରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଆଉଜି ଛିଡା ହୋଇ ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଶଟ୍ ସର୍କିଟ ହୋଇଯିବାରୁ ବିଦ୍ୟୁତ୍ ଖୁଣ୍ଟରେ ବିଦ୍ୟୁତ୍ ପ୍ରବାହିତ ହୋଇଥିଲା। ଏହା ସଂସ୍ପଶର୍ର୍ରେ ଆସି ଅଶୋକ ଜଳିଯାଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ପରିବାର ଲୋକେ ପହଞ୍ଚି ତାଙ୍କୁ ଶେରଗଡ଼ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୃନ୍ଦାବନ ଏନେଇ ଶେରଗଡ଼ ପୋଲିସକୁ ଜଣାଇବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି।


