ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ଘଟଣା ପରେ ଅଞ୍ଚଳରେ ଉଦ୍ବେଗର ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ବାଙ୍କୀ ଚର୍ଚ୍ଚିକାସାହିର ବାସିନ୍ଦା ଏହି ଯୁବକ ମହାନଦୀ ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଉଥିବା ସମୟରେ ସେ ହଠାତ୍ ଗଭୀର ପାଣିକୁ ଚାଲିଯାଇ ସ୍ରୋତରେ ଭାସିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ।

ଖବର ପାଇ ଅଗ୍ନିଶମ ବାହିନୀର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଠାବ କରିବା ପାଇଁ ଖୋଜାଖୋଜି ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ପ୍ରଶାସନ ଓ ଅଗ୍ନିଶମ କର୍ମଚାରୀମାନେ ମିଳିତ ଭାବେ ନଦୀର ବିଭିନ୍ନ ସ୍ଥାନରେ ତଲାସି ଜାରି ରଖିଛନ୍ତି। ଶେଷ ଖବର ସୁଦ୍ଧା ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିନଥିବା ବେଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

 

Dharitri – Odisha’s No.1 Odia Daily