ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଜୀବନ

ବୌଦ୍ଧ,୫।୨(ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ପୁରୁଣାକଟକ ନିକଟସ୍ଥ ଭୈରବୀ ମହାବିଦ୍ୟାଳୟ ନିକଟରେ ରବିବାର ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଥିବା ଜଣାପଡିଛି। ମୃତକ ହେଲେ ବୌଦ୍ଧ ସହର ପୋଡାପୋଡର କୌଶିକ ହୋତା (୧୯)।

ମିଳିଥିବା ସୂଚନା ମୁତାବକ, ପୋଡାପୋଡର କୌଶିକ ଏବଂ ଭଦ୍ରକ ଜିଲା ଡିହାନଗାଡିଆର ହିମାଂଶୁ ବେହେରା(୧୯) ଏକ ବାଇକ୍‌ ଯୋଗେ ବୌଦ୍ଧରୁ ଚାରିଛକ ଯାଉଥିଲେ। ହେଲେ ପୁରୁଣାକଟକ ନିକଟସ୍ଥ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ ଏକ ଗଛରେ ଧକ୍କା ହେବାରୁ ୨ଜଣ ଛିଟିକି ପଡି ଗୁରୁତର ହୋଇପଡିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ପ୍ରଥମେ ପୁରୁଣାକଟକ ମେଡିକାଲକୁ ନେଇଥିଲେ। ଗୁରୁତର ଥିବାରୁ ଉଭୟଙ୍କୁ ବୌଦ୍ଧ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲ। ବୌଦ୍ଧ ମେଡିକାଲରେ ଡାକ୍ତର କୌଶିକଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ହିମାଂଶୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁରୁଣାକଟକ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।