ମେଟା କାର୍ଯ୍ୟାଳୟରେ ଯୁବକଂଗ୍ରେସର ଭଙ୍ଗାରୁଜା

ନୂଆଦିଲ୍ଲୀ,୨୨ା୧୧: କେତେଜଣ ଦଳୀୟ ନେତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ମେଟା ହଟାଇ ଦେଇଥିବାରୁ ଏହା ବିରୋଧରେ ଯୁବ କଂଗ୍ରେସ ପକ୍ଷରୁ ମୁମ୍ୱାଇ, ହାଇଦ୍ରାବାଦ, ଗୁରୁଗ୍ରାମ ଆଦି ବିଭିନ୍ନ ସ୍ଥାନରେ ଥିବା ଏହାର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି। ମୁମ୍ୱାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ଥିବା ମେଟା ବିଲ୍ଡିଂ ବାହାରେ ଯୁବ କଂଗ୍ରେସ କର୍ମୀମାନେ ବିକ୍ଷୋଭ କରିବା ସହ ଭଙ୍ଗାରୁଜା କରିଥିବାବେଳେ ମୁମ୍ୱାଇ ଯୁବକଂଗ୍ରେସ ସଭାପତି ଜିନତ ସାବ୍ରିନଙ୍କ ସମେତ ଯୁବକଂଗ୍ରେସ ଜାତୀୟ ସମ୍ପାଦକ ପଓ୍ୱନ ମାଜେଥିଆ, ନିଖିଲ ରୁପାରେଲ ଏବଂ ଜାଫରଙ୍କ ବିରୋଧରେ ଏତଲା ଦାଏର ହୋଇଛି। ଏଥିସହିତ ୧୫/୨୦ ଜଣ ଅଜଣା ମହିଳାଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଶୁକ୍ରବାର ଅପରାହ୍ନରେ ବାନ୍ଦ୍ରା-କୁର୍ଲାସ୍ଥିତ ମେଟା କାର୍ଯ୍ୟାଳୟ ବାହାରେ ୨୦ରୁ ୨୫ ଜଣ ଲୋକ ପହଞ୍ଚତ୍ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ।
ସେହିପରି ହାଇଦ୍ରାବାଦରେ ଥିବା ମେଟା ଅଫିସରେ ତେଲଙ୍ଗାନା ଯୁବକଂଗ୍ରେସ କର୍ମୀମାନେ ଫୁଲକୁଣ୍ଡ ଫିଙ୍ଗିବା ସହ ଭଙ୍ଗାରୁଜା କରିଥିଲେ। ରାଜ୍ୟ ସଭାପତି ଜାକିଡି ଶିବଚରଣ ରେଡ୍ଡୀଙ୍କ ନେତୃତ୍ୱରେ ଯୁବକଂଗ୍ରେସ କର୍ମୀମାନେ ମେଟା ଏବଂ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ରାଜନୈତିକ ହସ୍ତକ୍ଷେପ ହେଉଥିବା ସେମାନେ ଅଭିଯୋଗ କରିବା ସହ କେତେକ ପୋଷ୍ଟକୁ ପୁନଃ ସ୍ଥାପନ କରିବା ପାଇଁ ଦାବି କରିଥିଲେ। ହରିୟାଣାର ଗୁରୁଗ୍ରାମରେ ଥିବା ମେଟା ଅଫିସ ବାହାରେ ମଧ୍ୟ ଅନୁରୂପ ବିକ୍ଷୋଭ ହୋଇଥିଲା।
ଉପଭୋକ୍ତା ସଂଖ୍ୟା ଦୃଷ୍ଟିରୁ ଭାରତ ସବୁଠୁ ବୃହତ୍‌ ବଜାର ହୋଇଥିବାବେଳେ ପ୍ରଭାବଶାଳୀ ରାଜନୈତିକ ସଂଗଠନର ବିକ୍ଷୋଭ ତୀବ୍ର ରୂପ ନେଇଥିବାବେଳେ ଏନେଇ କୌଣସି ମନ୍ତବ୍ୟ ଦେବାକୁ ମେଟା ମନା କରିଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପସନ୍ଦ ହୋଇ ନ ଥିବା ସୋସିଆଲ ମିଡିଆ ବିଷୟବସ୍ତୁ ହଟାଇବା ପାଇଁ
କଠୋର ପଦକ୍ଷେପ
ମେଟା କାର୍ଯ୍ୟାଳୟରେ…
ନେଉଥିବାରୁ ଭାରତରେ ଅଭିବ୍ୟକ୍ତି ସ୍ୱାଧୀନତା ପ୍ରତି ସମ୍ଭାବ୍ୟ ବିପଦ ବଢ଼ୁଥିବା ନେଇ ବିତର୍କ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ କହିବା କଥା ହେଲା କୌଣସି ସୋସିଆଲ ମିଡିଆ ବିଷୟବସ୍ତୁ ସ୍ଥାନୀୟ ଆଇନର ଉଲ୍ଲଂଘନ କରୁଥିଲେ କିମ୍ୱା ଜନସାଧାରଣଙ୍କ ନିରାପତ୍ତା ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ସମ୍ଭାବନା ଥିଲେ, ସେଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥାଏ। ତେବେ କଂଗ୍ରେସର ଦୀର୍ଘଦିନର ଅଭିଯୋଗ ହେଲା ମେଟା ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ବିରୋଧୀ ଦଳର ଆକାଉଣ୍ଟଗୁଡ଼ିକୁ ହଟାଇ ମୋଦି ସରକାରଙ୍କ ସପକ୍ଷରେ ଆକାଉଣ୍ଟଗୁଡ଼ିକୁ ସମର୍ଥନ କରୁଛନ୍ତି ଏବଂ ଅନ୍‌ଲାଇନ ବିରୋଧୀ ସ୍ୱରକୁ ଚାପି ଦେଉଛନ୍ତି। ତେବେ ସ୍ଥାନୀୟ ଆଇନକୁ ଅନୁପାଳନ କରିବାକୁ ଯାଇ ମେଟା ଭାରତରେ କଣ୍ଟେଣ୍ଟ ଉପରେ କଟକଣା ଲଗାଇଥିବା କହିଛି।
କଂଗ୍ରେସର କାର୍ଯ୍ୟକୁ ଭାଜପା ଶନିବାର ସମାଲୋଚନା କରିଛି। ସେମାନେ କେବଳ ହାଇଦ୍ରାବାଦସ୍ଥିତ ମେଟା ଅଫିସ୍‌ ଭଙ୍ଗାରୁଜା କରିନାହାନ୍ତି, ବରଂ ସୋସିଆଲ ମିଡିଆରେ ତାହା ଦେଖାଇଛନ୍ତି ବୋଲି ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି। ଘରୋଇ କମ୍ପାନୀଗୁଡ଼ିକର କାର୍ଯ୍ୟାଳୟ ଭଙ୍ଗାରୁଜା କରିବା ହେଉଛି କଂଗ୍ରେସ ମଡେଲ ବୋଲି ସେ କହିଥିବାବେଳେ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ।
ଅନ୍ୟପକ୍ଷରେ ଯଦି ଏହାର ନେତାମାନଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକୁ ପୁନଃ ସ୍ଥାପନ କରା ନ ଯାଏ ତେବେ ଦେଶରେ ଥିବା ମେଟା କାର୍ଯ୍ୟାଳୟଗୁଡ଼ିକରେ ଧସେଇ ପଶିବେ ବୋଲି ଯୁବକଂଗ୍ରେସ ପକ୍ଷରୁ Xରେ ଏକ ପୋଷ୍ଟ ଜରିଆରେ ଚେତାବନୀ ଦିଆଯାଇଥିଲା। ଶୁକ୍ରବାର ବିକ୍ଷୋଭ ପରେ ଏଭଳି ୨ଟି ଆକାଉଣ୍ଟକୁ ପୁନଃ ସ୍ଥାପନ କରାଯାଇଛି। ତେବେ ସରକାରଙ୍କୁ ସମାଲୋଚନା କରୁଥିବା ଖବରଦାତା, କଣ୍ଟେଣ୍ଟ କ୍ରିଏଟର, ଇନ୍‌ଫ୍ଲୁଏନ୍ସରମାନଙ୍କ ଅନେକ ହଜାର ଆକାଉଣ୍ଟ ଉପରେ କଟକଣା ରହିଥିବା ଯୁବକଂଗ୍ରେସ ସୋସିଆଲ ମିଡିଆ ଦାୟିତ୍ୱରେ ଥିବା ମନୁ ଜୈନ କହିଛନ୍ତି। ମେଟା ଆଲଗୋରିଦମ୍‌ କିପରି ପୋଷ୍ଟଗୁଡ଼ିକୁ ସୀମିତ କରେ ତାହା ସ୍ପଷ୍ଟ କରିବା ସହ ସରକାରଙ୍କ ନିର୍ଦ୍ଦେଶରେ ବନ୍ଦ ହୋଇଥିବା ଆକାଉଣ୍ଟଗୁଡ଼ିକ ପୁନଃସ୍ଥାପିତ ହେବା ଆବଶ୍ୟକ ବୋଲି ଜୈନ କହିଛନ୍ତି।

Share