ଆନ୍ଦୋଳନକାରୀଙ୍କ ସହ ଯୋଗଦେଲା ଯୁବକଂଗ୍ରେସ

ଭୁବନେଶ୍ବର, ୨ା୬(ବ୍ୟୁରୋ): ଅଲ୍‌ ଓଡ଼ିଶା ଭୋକେଶନାଲ ଟ୍ରେନର ମହାସଂଘର ନିଯୁକ୍ତିକୁ ସ୍ଥାୟୀ ତଥା ସେମାନଙ୍କୁ ପୂର୍ଣ୍ଣ ଶିକ୍ଷକ ମାନ୍ୟତା, ସମାନ କାମକୁ ସମାନ ଦରମା ପ୍ରଦାନ ଦାବିରେ ଗତ ୪ ଦିନ ଧରି ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍‌ଜିଠାରେ ଚାଲିଥିବା ବିକ୍ଷୋଭ ଓ ଧାରଣାକୁ ଓଡ଼ିଶା ପ୍ରଦେଶ ଯୁବକଂଗ୍ରେସ ସମର୍ଥନ ଜଣାଇଛି। ଗୁରୁବାର ଓଡ଼ିଶା ପ୍ରଦେଶ ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଆନ୍ଦୋଳନକାରୀଙ୍କୁ ବିକ୍ଷୋଭ ସ୍ଥଳରେ ଭେଟି ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି।
ସଂଘ ସଭାପତି ସୁନୀଲ କୁମାର ଦେବତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିକ୍ଷୋଭ ସଭାରେ ସ୍ମୃତିରଞ୍ଜନ ରାଜ୍ୟ ସରକାରଙ୍କ ଆଉଟ୍‌ସୋର୍ସିଂ ନିଯୁକ୍ତି ପ୍ରଥାକୁ ଘୋର ବିରୋଧକରି କହିଛନ୍ତି, ସମାନ କାମକୁ ସମାନ ଦରମା ପ୍ରଦାନ ଏବଂ ଆଉଟ୍‌ସୋର୍ସିଂ ନିଯୁକ୍ତିକୁ ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ଯୁବକଂଗ୍ରେସ ନିରନ୍ତର ଆନ୍ଦୋଳନ ଜାରି ରଖିଛି ବୋଲି ସେ କହିବା ସହ ଧନ୍ଦାମୂଳକ ପ୍ରଶିକ୍ଷକଙ୍କ ନିଯୁକ୍ତି ସରକାର ନିଜ ହାତକୁ ନେଇ ଶିକ୍ଷା ବିଭାଗରେ କମ୍ପାନୀ ନିଯୁକ୍ତିକୁ ବନ୍ଦ କରିବା ପାଇଁ ଦାବି କରିଛନ୍ତି। ପ୍ରକାଶଯୋଗ୍ୟ, ରାଜ୍ୟରେ ୨୦୧୬ରେ ଧନ୍ଦାମୂଳକ ଶିକ୍ଷା ଆରମ୍ଭ ହୋଇ ୬ ବର୍ଷ ଅତିକ୍ରାନ୍ତ ହୋଇଛି। କାର୍ଯ୍ୟରତ ୨୧୨୨ ଜଣ ପ୍ରଶିକ୍ଷକ ଏବେ ମଧ୍ୟ ବିଭିନ୍ନ ସମସ୍ୟା ମଧ୍ୟରେ ଅଛନ୍ତି। ଆଉଟ୍‌ ସୋର୍ସିଂ କମ୍ପାନୀଗୁଡ଼ିକ ବିଭିନ୍ନ ସମୟରେ ପ୍ରଶିକ୍ଷକଙ୍କ ଉପରେ ଅତ୍ୟାଚାର, ମନଇଚ୍ଛା ଛଟେଇ ଏବଂ ଛଟେଇ ପରେ ସେମାନଙ୍କ ଇପିଏଫ୍‌, ଗ୍ରାଚୁଇଟି ଆଦି ଅର୍ଥ ଦେବାରେ ମଧ୍ୟ ହେରଫେର କରୁଛନ୍ତି। ଏପରିକି କାର୍ଯ୍ୟରତ ପ୍ରଶିକ୍ଷକଙ୍କ ମଧ୍ୟରୁ ମୃତ୍ୟୁବରଣ କରିଥିବା ପ୍ରଶିକ୍ଷକଙ୍କ ପରିବାରକୁ ମଧ୍ୟ କୌଣସି ଆର୍ଥିକ ସହାୟତା ମିଳୁନାହିଁ। ଏ ସମ୍ପର୍କରେ ବାରମ୍ବାର ସରକାରଙ୍କ ନିକଟରେ ଅଭିଯୋଗ ହୋଇସାରିଥିଲେ ମଧ୍ୟ ସରକାର ସବୁ ଜାଣି ନୀରବଦ୍ରଷ୍ଟା ସାଜିଛନ୍ତି। ସରକାର ୫-ଟି ସ୍କୁଲ ଆଳରେ କୋଟି କୋଟି ଟଙ୍କା ପାଣି ଭଳି ବ୍ୟୟ କରୁଥିବାବେଳେ ଶିକ୍ଷା ବିଭାଗରେ ଆଉଟ୍‌ସୋର୍ସିଂ ମାଧ୍ୟମରେ ନିଯୁକ୍ତି ଦେବା ଲଜ୍ଜାଜନକ ବୋଲି ସ୍ମୃତିରଞ୍ଜନ କ୍ଷୋଭ ପ୍ରକାଶ କରିଛନ୍ତି।