ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତଙ୍କୁ ଜେଲ୍ ପଠାଯାଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

 ପୋଲିସ ସୂଚନା ଅନୁଯାୟୀ, ରବିବାର ବଡଡୁଙ୍ଗୁରୀଗୁଡା ଗ୍ରାମ ଛକରେ ସେହି ଗ୍ରାମର ହେମନ୍ତ ବଢେଇ ଠିଆ ହୋଇଥିବା ବେଳେ, ସେହି ଗ୍ରାମର ଟାଙ୍ଗରପଡାର ଅଭୟ ଦୀପଙ୍କ ପୁଅ ରଘୁନାଥ ଦୀପ (୨୯) ହଠାତ୍ ତାଙ୍କ ସହ ଗାଳିଗୁଲଜ କରିଥିଲେ। ପରେ ଏକ ଥଣ୍ଡାପାନୀୟର କାଚ ବୋତଲରେ ହେମନ୍ତଙ୍କ ମୁହଁ ଓ କପାଳରେ ଆକ୍ରମଣ କରି ଗୁରୁତର ଆହତ କରିଥିଲେ।

ଏନେଇ ହେମନ୍ତ ବଢେଇ ରିଷିଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ଫାଣ୍ଡି ଅଧିକାରୀ ମନୁଆ ବିଡିକା ସଦଳବଳେ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତ ରଘୁନାଥଙ୍କୁ ଗିରଫ କରିଥିଲେ। ପରେ ଗତ ରାତିରେ ତାଙ୍କୁ ମ. ରାମପୁର ଥାନାକୁ ପଠାଯାଇଥିଲା।

ଏହି ଘଟଣାରେ ମ. ରାମପୁର ଥାନାରେ ପୋଲିସ କେସ୍ ନଂ–୧୭୪, ତାରିଖ ୦୫/୦୭/୨୦୨୬ରେ ବିଏନଏସର ଦଫା ୨୯୬, ୧୧୫(୨), ୨୫୩(୩) ଏବଂ ୧୦୯(୧) ଅନୁଯାୟୀ ମାମଲା ରୁଜୁ କରି ଆଜି ରଘୁନାଥଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ମ. ରାମପୁର ଉପକାରାଗାରର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାର ତଦନ୍ତ ଦାୟିତ୍ୱ ମ. ରାମପୁର ଥାନାଧିକାରୀ ସଂଯୁକ୍ତା ପ୍ରଧାନ ଗ୍ରହଣ କରିଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

Share