ଯୁବପିଢ଼ି ଓ ବିବାହ ବିଚ୍ଛେଦ

ପ୍ରକାଶ ତ୍ରିପାଠୀ

 

ଅନ୍ତର୍ଜାତୀୟ ସ୍ତରରେ ଭାରତରେ ସର୍ବନିମ୍ନ ବିବାହ ବିଚ୍ଛେଦ ହାର ବୋଲି ବିବେଚନା କରାଯାଏ, ଯାହାର ସଂଖ୍ୟା ୨ ପ୍ରତିଶତରୁ କମ୍‌ । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ବିବାହ ବିଚ୍ଛେଦ ହାରରେ ଘଟୁଥିବା ବୃଦ୍ଧିକୁ ଲକ୍ଷକଲେ ଜଣାଯାଏ, ଭାରତ ଖୁବ୍‌ କମ ଦିନରେ ଅନ୍ୟ ଦେଶକୁ ବିବାହ ବିଚ୍ଛେଦ ସଂଖ୍ୟାରେ ପଛରେ ପକାଇଦେବ। ସର୍ବେକ୍ଷଣ କୁହେ, ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଏହି ସଂଖ୍ୟା କ୍ରମଶଃ ବୃଦ୍ଧି ଘଟୁଛି। ବିଶେଷକରି ବିବାହ କରିଥିବା ୨୦ରୁ ୩୫ ବର୍ଷ ବୟସ୍କ ଯୁବଗୋଷ୍ଠୀଙ୍କ ସଂଖ୍ୟା ଏଥିରେ ଅଧିକ। ଯୌଥ ପରିବାର ସଂଖ୍ୟା ହ୍ରାସ ସହ ଏକକ ପରିବାର ସଂଖ୍ୟା ବୃଦ୍ଧିକୁ ତାଳ ଦେଇ ଛାଡ଼ପତ୍ର ସଂଖ୍ୟା ବୃଦ୍ଧି ହେବା ନିଶ୍ଚିତ ଭାବେ ଭାରତର ଦୃଢ଼ ପାରିବାରିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭାରତୀୟଙ୍କ ପାଇଁ ଅଲଗା ହେବା କିମ୍ବା ଛାଡ଼ପତ୍ର ହେବା କଦାପି ସହଜ କଥା ନୁହେଁ। ପରିବାର ସଦସ୍ୟ, ସନ୍ତାନ ସନ୍ତତି ଓ ବିଭିନ୍ନ ସାମାଜିକ ସ୍ଥିତି ଏଥିରେ ବାଧକ ସାଜିଥାଏ। ମାତ୍ର ସମ୍ପ୍ରତି ଅତ୍ୟଧିକ ବ୍ୟକ୍ତି ସ୍ବାଧୀନତା, ସାଲିଶ୍‌ବିହୀନ ଓ ମୁକ୍ତ ଜୀବନଯାପନ ଶୈଳୀ, ଅର୍ଥନୈତିକ ସ୍ବାଧୀନତା, କର୍ମସଂସ୍ଥା ଚାପ, ନିଶାଦ୍ରବ୍ୟ ସେବନ, ସୋସିଆଲ ମିଡିଆ ଆଦି କେତେକ ପ୍ରସଙ୍ଗକୁ ସମାଜ ବିଜ୍ଞାନୀମାନେ ଛାଡ଼ପତ୍ର ବୃଦ୍ଧିର କାରଣ ବୋଲି ଦର୍ଶାଉଛନ୍ତି।
ଆପଣ ଜାଣନ୍ତି କି ଭାରତ ହେଉଛି ଏକମାତ୍ର ଦେଶ, ଯେଉଁଠାରେ ପୁରୁଷମାନେ ଅଧିକାଂଶ ଛାଡ଼ପତ୍ର ଆରମ୍ଭ କରିଥା’ନ୍ତି। ଅନ୍ୟ ଦେଶରେ ମହିଳାମାନେ ଅଧିକାଂଶ ଛାଡ଼ପତ୍ର ଆରମ୍ଭ କରନ୍ତି। କିନ୍ତୁ ଏବେ ପରିସ୍ଥିତି ଓ ସମୟ ବଦଳୁଛି। ଭାରତରେ ମଧ୍ୟ ବିଦେଶ ଭଳି ପରିସ୍ଥିତି ଉପୁଜିଲାଣି। ଛାଡ଼ପତ୍ର ହାର ସୂଚାଉଛି ଯେ, ଅଧିକରୁ ଅଧିକ ଦମ୍ପତି ନିଜ ଜୀବନକୁ ନିୟନ୍ତ୍ରଣ କରିବାକୁ ଏବଂ ନିଜ ବିବାହରେ ଅସନ୍ତୁଷ୍ଟତାକୁ ଅନୁଭବ କରୁଛନ୍ତି। ଅତୀତରେ ଅନେକ ଦମ୍ପତି ପରସ୍ପର ଉପରେ ଅସନ୍ତୁଷ୍ଟ ଥିଲେ ମଧ୍ୟ କିମ୍ବା ସେମାନଙ୍କ ବିବାହରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏକାଠି ରହୁଥିଲେ। ଏହା ସାମାଜିକ ଆଶା ଏବଂ ପରିବାର ସଦସ୍ୟଙ୍କ ଚାପ ଯୋଗୁଁ ହେଉଥିଲା ଓ ସେମାନେ ଛାଡ଼ପତ୍ରକୁ ଲଜ୍ଜାଜନକ ମନେକରୁଥିଲେ। ମାତ୍ର ଏହି ଧାରଣା ଧୀରେ ଧୀରେ ଦୂରେଇ ଯାଉଛି ଏବଂ ଅଧିକ ଦମ୍ପତି ଅଲଗା ରହିବାର ସାହସିକ ପଦକ୍ଷେପ ନେଉଛନ୍ତି। ବିଶେଷକରି ଯୁବପିଢ଼ି ମଧ୍ୟରେ ବିବାହ ଏବଂ ପାରିବାରିକ ଜୀବନ ପ୍ରତି ମନୋଭାବରେ ପରିବର୍ତ୍ତନକୁ ଏଥିପାଇଁ ଦାୟୀ କରାଯାଇପାରେ। ଛାଡ଼ପତ୍ର ଆଉ ଏକ ବିଫଳତା କିମ୍ବା ଲଜ୍ଜାଜନକ ବିଷୟ ଭାବରେ ଦେଖାଯାଉନାହିଁ। ଏହା ପରିବର୍ତ୍ତେ ଏହା ବ୍ୟକ୍ତିଗତ ସ୍ବାଧୀନତାକୁ ସୂଚାଇବା ସହ ପୁନର୍ବାର ପାରିବାରିକ ଜୀବନ ଆରମ୍ଭ କରିବାର ଏକ ସୁଯୋଗ ଭାବରେ ଦେଖାଯାଉଛି।
ହିନ୍ଦୁଶାସ୍ତ୍ର ଅନୁଯାୟୀ, ବିବାହ ଏକ ପବିତ୍ର ବନ୍ଧନ। ସନାତନ ଧର୍ମରେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟ ପାଇଁ ୧୬ଟି ସଂସ୍କାର ରହିଛି। ସେଥିମଧ୍ୟରେ ପଞ୍ଚଦଶ ସଂସ୍କାର ଭାବେ ବିବାହ ଏକ ଶ୍ରେଷ୍ଠ ସଂସ୍କାର ଭାବେ ପରିଚିତ। ସମାଜକୁ ଶୃଙ୍ଖଳା ପୂର୍ବକ ଆଗକୁ ବଢ଼ାଇବା ତଥା ବଂଶରକ୍ଷା ପାଇଁ ଉଦ୍ଦିଷ୍ଟ ବିବାହ ମାଧ୍ୟମରେ ମହିଳା ଓ ପୁରୁଷ ଯଥାକ୍ରମେ ପତ୍ନୀ ଓ ପତି ଭାବେ ପରିଗଣିତ ହୋଇଥା’ନ୍ତି। ବିବାହକୁ ପାଣି ଗ୍ରହଣ ମଧ୍ୟ କୁହାଯାଏ, ଅର୍ଥାତ୍‌ ହସ୍ତ ଗ୍ରହଣ। ଜଣେ ଜଣଙ୍କର ହାତକୁ ସବୁଦିନ ପାଇଁ ଗ୍ରହଣ କରିବା, ପତ୍ନୀ ଓ ପତି ସବୁଦିନ ପାଇଁ ଉଭୟଙ୍କ ହାତକୁ ଧରିନେବା ହିଁ ପାଣିଗ୍ରହଣର ତାତ୍ପର୍ଯ୍ୟ । ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରରେ ପାରିବାରିକ ବନ୍ଧନ ଅତି ସୁଦୃଢ଼। କୁହାଯାଏ ଗୋଟିଏ ଜନ୍ମ ନୁହେଁ, ସାତଜନ୍ମ ପାଇଁ ପତି-ପତ୍ନୀ ବାନ୍ଧି ହୋଇ ରହିଥା’ନ୍ତି। ବିବାହ ବେଦିରେ ଉଭୟ ପତି-ପତ୍ନୀ ଅଗ୍ନିକୁ ସାକ୍ଷୀ ରଖି ଜନ୍ମ ଜନ୍ମର ବନ୍ଧନରେ ବାନ୍ଧି ହୁଅନ୍ତି। ଅଗ୍ନିକୁ ସାକ୍ଷୀ ରଖି ପତି ପତ୍ନୀକୁ ସାତଟି ବଚନ ପ୍ରଦାନ କରିବା ସହ ସାତ ଥର ବେଦି ଉପରେ ଅଗ୍ନିକୁ ପ୍ରଦୀକ୍ଷଣ କରିଥା’ନ୍ତି। ବିଶ୍ବାସ କରାଯାଏ, ଏହି ସାତଟି ବଚନ ପାଳନ ଠିକ୍‌ରେ ପାଳନ କରାଯାଏ ବୋଲି ଭାରତୀୟ ସମାଜରେ ପତି ଓ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଅତୁଟ ରୁହେ ଓ ପରିବାର ସୁଦୃଢ଼ ହୋଇଥାଏ। ତେବେ ଏହି ସାତଟି ବଚନ କ’ଣ ଯାହା ବିବାହ ବେଦି ଉପରେ ପୁରୋହିତ ଉଭୟ କନ୍ୟାପିତା ଓ ବରପିତାଙ୍କ ଉପସ୍ଥିତିରେ ଆବୃତ୍ତି କରିଥାଏ ଓ କନ୍ୟାକୁ ବର ସେହି ସାତଟି ବଚନକୁ ଯଥାବିଧି ପାଳନ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଥାଏ।
କନ୍ୟା ପ୍ରଥମ ବଚନରେ ବରଠାରୁ ପ୍ରତିଶ୍ରୁତି ମାଗିଥାଏ ଯେ, ବିବାହ ପରେ ଯଦି ପତି କୌଣସି ତୀର୍ଥ ଭ୍ରମଣରେ ଯାଆନ୍ତି, ତେବେ ସାଥିରେ ନିଶ୍ଚିତ ପତ୍ନୀଙ୍କୁ ନେଇକରି ଯିବେ। ପତ୍ନୀଙ୍କ ବିନା ପତି କୌଣସି ବ୍ରତ, ଉପବାସ, ଯଜ୍ଞ ଆୟୋଜନ କରିବେ ନହିଁ। ଅର୍ଥାତ୍‌ ପ୍ରତିଟି ସାମାଜିକ କର୍ମରେ ପତି ନିଜର ପତ୍ନୀଙ୍କୁ ସାଥିରେ ରଖିବେ। ଦ୍ୱିତୀୟ ବଚନରେ ପତ୍ନୀ ପ୍ରତିଶ୍ରୁତି ମାଗିଥାଏ ଯେ, ନିଜର ମାତା-ପିତାଙ୍କୁ ଯେପରି ଶ୍ରଦ୍ଧା ଓ ସମ୍ମାନ ପତି ପ୍ରଦର୍ଶନ କରିଥା’ନ୍ତି ସେହିପରି ଅନୁରୂପ ଶ୍ରଦ୍ଧା ଓ ସମ୍ମାନ କନ୍ୟାଙ୍କ ମାତାପିତାଙ୍କୁ ପ୍ରଦର୍ଶନ କରିବେ। ବିବାହ କେବଳ କନ୍ୟା ଓ ବରଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରେ ନାହିଁ, ଏହା ଦୁଇଟି ପରିବାର ମଧ୍ୟରେ ସମ୍ପର୍କକୁ ମଙ୍ଗଳମୟ କରିଥାଏ। ତୃତୀୟ ବଚନରେ କନ୍ୟା ସଦା ସର୍ବଦା ନିଜର ପତିଙ୍କ ସହ ରହିବାକୁ ପ୍ରତିଶ୍ରୁତି କାମନା କରିଥାଏ। ବିବାହ ଯୁବ ଅବସ୍ଥାରେ ହୋଇଥାଏ। ଏହା ପରେ ଆସିଥାଏ ପ୍ରୌଢ଼ ଓ ପରେ ବୃଦ୍ଧାବସ୍ଥା। ଜୀବନର ଏହି ତିନୋଟିଯାକ ଅବସ୍ଥାରେ ପତ୍ନୀଙ୍କୁ ନିଜ ପାଖରେ ଅର୍ଥାତ୍‌ ମିଶିକରି ଅତିବାହିତ କରିବାକୁ କନ୍ୟା ଆଶା ରଖିଥାଏ, ଯାହାକୁ କି ପତି ପାଳନ କରିଥାଏ। ଏହା ଯଦି ଠିକ୍‌ ଭାବେ ପାଳନ ହୁଏ, ତେବେ ଆଜିର ସମୟରେ ତଲାକ ବା ଡିଭୋର୍ସ ଭଳି ବିଦେଶୀ ସଂସ୍କୃତି ଆମ ଭାରତରେ ଦେଖିବାକୁ ମିଳନ୍ତା ନାହିଁ।
ବିବାହ ପର୍ଯ୍ୟନ୍ତ ଘରର କୌଣସି ଦାୟିତ୍ୱ ବରକୁ ନେବାକୁ ପଡ଼ିନଥାଏ। ବିବାହ ପରେ ଘରର ଭରଣପୋଷଣ ସହ ପରିଚାଳନାର ଗୁରୁଦାୟିତ୍ୱ ବର ଉପରକୁ ଆସିଥାଏ। ଏହି ଗୁରୁଦାୟିତ୍ୱ ନିର୍ବାହ କରିବା ବେଳେ ପତ୍ନୀଙ୍କ ସହଯୋଗ ନେବାକୁ ଚତୁର୍ଥ ବଚନରେ କନ୍ୟା ବରଠାରୁ ପ୍ରତିଶ୍ରୁତି କାମନା କରିଥାଏ। ବାସ୍ତବରେ ପରିବାର ରୂପକ ଯାନକୁ ଆଗକୁ ନେବାକୁ ହେଲେ ଦୁଇଟି ଚକର ଆବଶ୍ୟକତା ପଡ଼ିଥାଏ। ତେଣୁ ପରିବାର ପରିଚାଳନା ଓ ଭରଣ ପୋଷଣରେ ପତ୍ନୀ ଭାରତୀୟ ପରମ୍ପରାରେ ପତିର ସହଯୋଗୀ ହୋଇଥାଏ। ସେହିପରି ବିଭିନ୍ନ ସାମାଜିକ କର୍ମରେ ତଥା ପରିବାର ପାଇଁ ହେଉଥିବା ବିଭିନ୍ନ ଅର୍ଥ ବ୍ୟୟ ଓ ଘର ଚଳାଇବା ନିମନ୍ତେ ନିଷ୍ପତ୍ତି ନେବା ସମୟରେ ପତ୍ନୀଙ୍କୁ ଅବଗତ କରିବା ତଥା ପତ୍ନୀଙ୍କ ପରାମର୍ଶ ନେବାକୁ କନ୍ୟା ପଞ୍ଚମ ବଚନରେ ଆଶା ରଖିଥାଏ। ଜୀବନବ୍ୟାପୀ ସମସ୍ତ ଖରାପ କର୍ମଠାରୁ ଦୂରେଇ ରହିବା ତଥା ପତ୍ନୀଙ୍କ ମର୍ଯ୍ୟାଦା ରଖିବା ଓ ସ୍ବାଭିମାନର ସୁରକ୍ଷା କରିବା ନିମନ୍ତେ କନ୍ୟା ଷଷ୍ଠ ବଚନରେ ପତିଙ୍କଠାରୁ ପ୍ରତିଶ୍ରୁତି ମାଗିଥାଏ। ଶେଷରେ ସେ ସପ୍ତମ ବଚନ ମାଗିଥାଏ। ବିବାହ ପରେ ପତି-ପତ୍ନୀଙ୍କ ପ୍ରେମ ମଧ୍ୟରେ ଯେପରି କୌଣସି ତୃତୀୟ ମଣିଷର ପ୍ରବେଶ ନହୁଏ। ଜୀବନ ଶେଷ ହେବା ପର୍ଯ୍ୟନ୍ତ ଯେପରି ଉଭୟଙ୍କ ମଧ୍ୟରେ ଥିବା ପ୍ରେମ, ସ୍ନେହ, ଶ୍ରଦ୍ଧା, ବିଶ୍ବାସ, ଭରସା, ତ୍ୟାଗ, ସେବା ଓ ସମର୍ପଣ ଭାବରେ ଊଣା ନହୁଏ। ଏହି ସାତଟି ବଚନର ସୁରକ୍ଷା ଓ ପାଳନର ପ୍ରତିଶ୍ରୁତିରୁ ନୂଆ ପତ୍ନୀ-ପତିର ସମ୍ପର୍କ ଗଢ଼ିଉଠେ ଓ ଏକ ସୁସ୍ଥ ଏବଂ ସୁନ୍ଦର ପରିବାରର ମୂଳଦୁଆ ପଡ଼ିଥାଏ। ତେବେ ଆଜିର ସମୟରେ ବିବାହ ବେଦିରେ ଏପରି ପ୍ରତିଶ୍ରୁତି ସମ୍ପର୍କରେ କେତେଜଣ ଅବଗତ? ଆଜିର ବିବାହଶୈଳୀ ଆଉ ପୂର୍ବ ଭଳି ନହିଁ। ବାଣ, ରୋଶଣି, ବରାଯାତ୍ରୀଙ୍କ ଉଦଣ୍ଡ ନୃତ୍ୟ, ମଦ୍ୟପାନ, ଭୋଜିଭାତ, ସଙ୍ଗୀତ, ମେହେନ୍ଦୀ, ଫଟୋ ସୁଟ୍‌, ନୃତ୍ୟଗୀତ, ଆଲୋକ ଓ ଫୁଲ ସାଜସଜ୍ଜା ତଥା ଉପହାର ଆଦାନ ପ୍ରଦାନରେ ସୀମିତ ହୋଇ ଗଲାଣି। ବିବାହ କର୍ମ ତଥା ବିଧିବିଧାନ ଚୁଲିକୁ ଗଲାଣି। ଏଥିରେ ବିବାହ ସଫଳ ହେବ କ’ଣ?
ମୋ- ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri