Categories: ଖେଳ

ପାକିସ୍ତାନର ବ୍ୟାଟିଂ କୋଚ୍‌ ପଦରୁ ହଟିଲେ ପୂର୍ବତନ ଅଧିନାୟକ

କରାଚୀ,୨୨।୬: ପୂର୍ବତନ ଅଧିନାୟକ ୟୁନିସ ଖାନ ପାକିସ୍ତାନ ଦଳର ବ୍ୟାଟିଂ କୋଚ୍‌ ପଦରୁ ଓହରି ଯାଇଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ ଚମକାଇ ଦେଇଛି। ତେବେ ବ୍ୟାଟିଂ କୋଚ୍‌ ପଦରୁ ହଟିବାର କାରଣ ୟୁନିସ କିମ୍ବା ପିସିବି ପକ୍ଷରୁ କୁହାଯାଇନାହିଁ।

ପାକିସ୍ତାନ ଦଳ ଆସନ୍ତା ୨୫ ତାରିଖରେ ୟୁକେ ଗସ୍ତ କରିବ। ସେଠାରେ ଇଂଲଣ୍ଡ ସହ ୩ ଲେଖାଏ ଦିନିକିଆ ଓ ଟି୨୦ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳିବ। ତା’ ପରେ ଜୁଲାଇ ୨୧ରେ ପାକିସ୍ତାନ ଟିମ ଓ୍ବେଷ୍ଟଇଣ୍ଡଜ ଯାଇ ୫ଟି ଟି୨୦ ଓ ଦୁଇ ଟିକିଆ ଟେଷ୍ଟ ସିରିଜ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି।

ବ୍ୟାଟିଂ କୋଚ୍‌ଙ୍କ ବିନା ପାକିସ୍ତାନ ଦଳ ୟୁକେ ଗସ୍ତ କରିବ। ଓ୍ବେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ନୂଆ ବ୍ୟାଟିଂ କୋଚ୍‌ ନିଯୁକ୍ତ କରାଯିବ ବୋଲି ପିସିବି ପକ୍ଷରୁ କୁହାଯାଇଛି। ତେବେ ୟୁନିସ ନିଜ ପଦ ନେଇ ଖୁସି ନ ଥିଲେ। ଖେଳାଳିଙ୍କ ଚୟନ ପ୍ରକ୍ରିୟାରେ ସେ ସାମିଲ ହେବାକୁ ଚାହୁଁଥିଲେ ବୋଲି ସୂତ୍ରରୁ ଜଣାପଡ଼ିଛି। ତାଙ୍କୁ ଗତବର୍ଷ ନଭେମ୍ବରରେ ନିଯୁକ୍ତ କରାଯାଇଥିଲା। ୨୦୨୨ ଆଇସିସି ଟି୨୦ ବିଶ୍ୱକପ୍‌ ପର୍ଯ୍ୟନ୍ତ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା।

ତେବେ ପିସିବି ସହ ୟୁନିସଙ୍କ ବିବାଦ ବହୁ ପୁରୁଣା। ପିସିବି ଚେୟାରମ୍ୟାନଙ୍କ ସହ ସାକ୍ଷାତ୍‌ ନ କରିପାରିବାରୁ ୨୦୦୭ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ଦଳର ନେତୃତ୍ୱ ନେବାକୁ ସେ ମନା କରି ଦେଇଥିଲେ। ୨୦୦୯ରେ କିଛି ଖେଳାଳିଙ୍କ ସହ ବିବାଦ ପରେ ଅଧିନାୟକ ପଦରୁ ହଟି ଯାଇଥିଲେ ୟୁନିସ। ଏପରି କି ତାଙ୍କ କ୍ୟାରିୟର ଶେଷ ହେଲା ପରେ ପିସିବି ପକ୍ଷରୁ ଦିଆଯାଇଥିବା ପୁରସ୍କାର ରାଶିକୁ ମଧ୍ୟ ଫେରାଇ ଦେଇଥିଲେ ଟେଷ୍ଟ କ୍ରିକେଟରେ ପାକିସ୍ତାନ ପାଇଁ ସର୍ବାଧିକ ରନ୍‌ କରିଥିବା ଏହି ବ୍ୟାଟ୍ସମ୍ୟାନ।

Share