ସମ୍ପତ୍ତି ଭାଗବଣ୍ଟାକୁ ନେଇ ମହାଭାରତ: ବଡ଼ ଭାଇର ଚୋଟରେ ସାନ ଭାଇ, ମାଉସୀ ଶାଶୁ ଲହୁଲୁହାଣ

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ମଙ୍ଗଳବାର ସକାଳେ ପାରିବାରିକ ହିଂସା କାରଣରୁ ବଡ଼ଭାଇ ବି.ଦଣ୍ଡ ରେଡ୍ଡୀଙ୍କ କାତି ଚୋଟରେ ସାନଭାଇ ବି.ନାରାୟଣ ରେଡ୍ଡୀ ଏବଂ ତାଙ୍କ ମାଉସୀ ଶାଶୁ କେ. ସାରସା ରେଡ୍ଡୀ ଗୁରୁତର ଆହତ ହୋଇଛନ୍ତି। ଆହାତ ଦ୍ୱୟଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ବୃଦ୍ଧା ସାରସାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ରକରି ନାରାୟଣ ଏବଂ ଦଣ୍ଡ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିଲା। ଗତ ରବିବାର ନାରାୟଣ ଘରେ ନଥିବା ବେଳେ ତାଙ୍କ ସ୍ତ୍ରୀ କାବେରୀଙ୍କୁ ଦେଢ଼ଶୁର ଦଣ୍ଡ , ଯାଆ ଲଳିତା ଏବଂ ତାଙ୍କ ସହଯୋଗୀ ଆନନ୍ଦ ସେଠୀ ଘର ସମ୍ମୁଖରେ ଅସଦାଚରଣ କରିବା ସହ ମାଡ଼ ମାରିଥିଲେ। ଏନେଇ କାବେରୀ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତମାନଙ୍କ ନାଁରେ ମକଦ୍ଦମା ରୁଜୁ କରିଥିଲେ। ସୋମବାର ସକାଳ ପ୍ରାୟ ସାଢେ ୬ ଟାରେ ନାରାୟଣ କାମ ପାଇ ଯାଉଥିବାବେଳେ ତାଙ୍କୁ ରାସ୍ତାରେ ଅଟକାଇ ଆକ୍ରମଣ କରାଯାଇଥିଲା। ତାଙ୍କୁ ଛଡ଼ାଇବାକୁ ଯାଇଥିବା ସାରସାଙ୍କୁ ସେମାନେ ଘେରିଯାଇ ବେକ ଓ କାନରୁ ସୁନା ଅଳଙ୍କାର ଛଡାଇ ନେବା ସହ ଦଣ୍ଡ ଧରିଥିବା କାତିରେ ତାଙ୍କ ମୁଣ୍ଡକୁ ଚୋଟ ପକାଇଥିଲେ ବୋଲି ସାରସା ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ଏନେଇ ପୋଲିସ ତଦନ୍ତ ଚଳାଇଛନ୍ତି।

 

Odisha’s No.1 Odia Daily

Share