ପୋଖରୀରୁ ଯୁବତୀଙ୍କ କଙ୍କାଳ ମିଳିବା ଘଟଣା: ହାଇଦ୍ରାବାଦ୍‌ରୁ ହତ୍ୟା ଅଭିଯୁକ୍ତ ଗିରଫ

ଦଶରଥପୁର,୧୬।୪(ଡି.ଏନ.ଏ.): ଯାଜପୁର ସଦର ଥାନା କପିଳେଶ୍ୱର ଗ୍ରାମ ସୀମାରେ ଥିବା ପରିତ୍ୟକ୍ତ ପୋଖରୀରୁ ଗତ ୮ ତାରିଖରେ ମିଳିଥିବା କଙ୍କାଳ ଚିହ୍ନଟ ହେବା ପରେ ହତ୍ୟା ମାମଲା ରୁଜୁ ହୋଇଥିଲା। ମିଳିଥିବା କଙ୍କାଳ ଯାଜପୁର ଟାଉନ୍‌ ଥାନା ଅଧୀନ ଖଣ୍ଡରା ଗ୍ରାମର ଅହଲ୍ୟା ରାଉତ ଓ ଶରତଙ୍କ ଝିଅ ଶୁଭଶ୍ରୀଙ୍କ ବୋଲି ତାଙ୍କ ପରିବାର ଦାବି କରିବା ସହ ସଦର ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପ୍ରକ୍ରିୟା ଆରମ୍ଭ କରିଛି। ଏହିକ୍ରମରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବୋଲେରୋ ଚାଳକ ଖଣ୍ଡରା ପଞ୍ଚାୟତ ବାଲିପଦା ଗ୍ରାମର ହରିହର ନାୟକଙ୍କ ଜଣେ ସହଯୋଗୀଙ୍କୁ ଯାଜପୁର ପୋଲିସ ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦ୍‌ରୁ ଗିରଫ କରି ଥିବା ବିଶେଷ ସୂତ୍ରରୁ ଖବର ମିଳିଛି। ଗିରଫ ଯୁବକ ଦଶରଥପୁର ବ୍ଲକ୍‌ ଖଣ୍ଡରା ଛକ ନିକଟସ୍ଥ ଚାନ୍ଦିତୋଟା ଦଳିତସାହିର ବୋଲି ଜଣାପଡିଛି। ସେ ହାଇଦ୍ରାବାଦ୍‌ର ଏକ ବେସରକାରୀ ସଂସ୍ଥାରେ କାମ କରୁଥିଲେ ା ଲକ୍‌ଡାଉନ୍‌ ଯୋଗୁ ସେ ଆସି ଘରେ ରହୁଥିଲେ। ଯେଉଁଦିନ କଙ୍କାଳ ମିଳିଥିଲା ସେଦିନ ସନ୍ଧ୍ୟାରେ ସେ ପୁଣି ଯାଜପୁର ରୋଡରୁ ଟ୍ରେନ୍‌ରେ ହାଇଦ୍ରାବାଦ୍‌ ପଳାଇଥିଲେ। ମୋବାଇଲ୍‌ ଟ୍ରାକିଂରୁ ସେ ଏହି ହତ୍ୟା ଘଟଣାରେ ସାମିଲ ଥିବା ଜଣାପଡ଼ିବା ପରେ ଯାଜପୁର ପୋଲିସର ଏକ ଟିମ୍‌ ହାଇଦ୍ରାବାଦ୍‌ ଯାଇଥିଲା। ସେଠାରେ ସ୍ଥାନୀୟ ପୋଲିସ ସହାୟତାରେ ତାଙ୍କୁ ଗିରଫ କରି ଗୁରୁବାର ଯାଜପୁର ଆଣିଥିବା ଜଣାଯାଇଛି।
ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର କୁହାଯାଉଥିବା ବୋଲେରୋ ମାଲିକ ଶିବ ପଣ୍ଡା କିଛିଦିନ ହେବ ଯାଜପୁରରେ ରହି ପୋଲିସ ତଦନ୍ତକୁ ନିରୀକ୍ଷଣ କରୁଥିଲେ। ତେବେ ହତ୍ୟାକାଣ୍ଡରେ ତାଙ୍କ ପ୍ରଚ୍ଛନ୍ନ ହାତ ଥିବା ନେଇ ଯୁବତୀଙ୍କ ପରିବାର ଗଣମାଧ୍ୟମରେ ଅଭିଯୋଗ କରିବା ପରେ ବୁଧବାରଠାରୁ ସେ କେଉଁ ଆଡ଼େ ଉଭାନ ହୋଇଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ଅହଲ୍ୟା ସଭ୍ୟାଥିବା ମା’ ତାରିଣୀ ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଭାନେତ୍ରୀ, ସମ୍ପାଦିକା ଏବଂ ଅନ୍ୟ ସଭ୍ୟାମାନେ ଖଣ୍ଡରା ପଞ୍ଚାୟତ ମହାସଂଘ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ସହଯୋଗ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ପଣ୍ଡାଙ୍କ ପ୍ରଚ୍ଛନ୍ନ ସହାୟତାରେ ବୋଲେରୋ ଚାଳକ ନାୟକ ଓ ଅନ୍ୟ ସହଯୋଗୀମାନେ ଅପରାଧ ଘଟାଇଥିବାରୁ ପଣ୍ଡାଙ୍କୁ ପୋଲିସ ତୁରନ୍ତ ଗିରଫ କରିବାକୁ ମା’ ଅହଲ୍ୟା ଓ ଶରତଙ୍କ ସମେତ ମା’ତାରିଣୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସମସ୍ତ ସଭ୍ୟା ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଶୁଭଶ୍ରୀ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଯାଜପୁର ଟାଉନ ଥାନାରେ ୧୦ା୧୦ା୨୦୨୦ରେ ଅଭିଯୋଗ ହୋଇଥିଲା। ତେବେ କଙ୍କାଳ ଏବଂ ଓଢଣି ଦେଖି ସେମାନେ ଏହା ତାଙ୍କ ଝିଅ ଶୁଭଶ୍ରୀଙ୍କ ବୋଲି ଚିହ୍ନଟ କରିଥିଲେ। ଏହାପରେ ଅହଲ୍ୟା ତାଙ୍କ ଝିଅକୁ ବୋଲେରୋ ଡ୍ରାଇଭର ନାୟକ ହତ୍ୟା କରି ପୋଖରୀରେ ପକାଇ ଦେଇଥିବା ଯାଜପୁର ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ମାମଲା (ନଂ.୧୨/୨୧) ରୁଜୁ ହୋଇଛି।