ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ବିକ୍ରମ କିଶୋର ସାହୁଙ୍କ ଝିଅ କୋମଲ କିରଣ ସାହୁ(୨୦)। ତାଙ୍କ ଘର ଭୁବନେଶ୍ବର ଜୟଦେବ ବିହାର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଶନିବାର ହୁମ୍ବର ଗ୍ରାମ ରେଳ ଧାରଣା ନିକଟରେ ଏକ ଅଜଣା ମିହଳାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଏହି ସୂଚନା ପାଇ ଆର୍‌ପିଏଫ ଓ ଜିଆର୍‌ପି ମିଳିତ ଭାବେ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡିକାଲ ପଠାଯାଇଛି। ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ରେଳ ଦୁର୍ଘଟଣା ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।

ବୈଜ୍ଞାନିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିଛନ୍ତି ବୋଲି ପୋଲିସ ସୂଚନା ଦେଇଛି। ଏନେଇ ଜିଆର୍‌ପି ବ୍ରହ୍ମପୁର କେସ ନଂ ୪୮/୨୦୨୬ ରେ ଏକ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।