ଯୁବତୀଙ୍କୁ ଘରୁ ଉଠାଇନେଲେ ଦୁର୍ବୃତ୍ତ

ଭେଡ଼େନ,୨୪।୪(ଡି.ଏନ.ଏ.): ବରଗଡ଼ ଜିଲା ଭେଡ଼େନ ଥାନା ତାଲମେଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦେହେରୀପାଲି ଗ୍ରାମର ଜଣେ ଯୁବତୀଙ୍କୁ ମାରଣାସ୍ତ୍ର ଦେଖାଇ ଘରରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ କ୍ରମେ ପୋଲିସ ଭେଡ଼େନ ଥାନାରେ ଏକ ମାମଲା (ନଂ.୧୩୨।୨୩) ରୁଜୁ କରି ତନାଘନା ଚଳାଇଛି। ଏସ୍‌ଆଇ ଦୟାନିଧି ପାତ୍ର ଘଟଣାର ତଦନ୍ତ କରୁଛନ୍ତି। ତେବେ ଏହି ଘଟଣା ପ୍ରଘଟ ହେବା ପରେ ଭେଡ଼େନ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଗତ ଶୁକ୍ରବାର ମଧ୍ୟରାତ୍ରିରେ ଗୋଟିଏ ଚାରିଚକିଆ ଗାଡ଼ି ଆସି ଯୁବତୀଙ୍କ ଘର ଦ୍ୱାର ମୁଁହରେ ଅଟକିଥିଲା। ଏଥିରେ ବସିଥିବା ୧୨ ଜଣ ମୁଖାପିନ୍ଧା ଯୁବକ ଓହ୍ଲାଇ କବାଟ ବାଡ଼େଇଥିଲେ। ଯୁବତୀଙ୍କ ଜେଜେବାପା କବାଟ ଫିଟାଇ ଦେବାରୁ ସେମାନେ ଘର ଭିତରକୁ ପଶିଥିଲେ ଏବଂ ଯୁବତୀ ଶୋଇଥିବା କୋଠରୀକୁ ଯାଇ ମାରଣାସ୍ତ୍ର ଦେଖାଇ ତାଙ୍କୁ ଟେକି ନେଇଥିଲେ। ସେମାନଙ୍କୁ ପ୍ରତିରୋଧ କରିବାକୁ ଯାଇ ଯୁବତୀଙ୍କ ମା’ ଏବଂ ଜେଜେବାପା ଆହତ ହୋଇଛନ୍ତି। ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ଯୁବତୀ ଓ ଅପହରଣକାରୀଙ୍କ କୌଣସି ସନ୍ଧାନ ମିଳିପାରିନାହିଁ। ଉଲ୍ଲେଖନୀୟ, ବରଗଡ଼ ଜିଲା ଭେଡ଼େନ ଥାନା ସବୁବେଳେ ଚର୍ଚ୍ଚାରେ ରହିଆସିଛି । ମାଖନୁ ବାଗ ହାଜତ ମୃତ୍ୟୁରୁ ଆରମ୍ଭ କରି କୁଟେନପାଲି ପ୍ରିୟଙ୍କା କୁଦେଇ ଅପହରଣ, ଜାଣ୍ଡୋଲ ଗଣହତ୍ୟା, ଆଖିଫୁଟା ଟ୍ରିପଲ ମର୍ଡର ଘଟଣା ଉପରୁ ପୋଲିସ ଅଦ୍ୟାବଧି ପରଦା ଉଠାଇବାରେ ଅସମର୍ଥ ହୋଇଛି। ତେବେ ଦେହେରୀପାଲି ଯୁବତୀ ଅପହରଣ ଘଟଣାର ରହସ୍ୟ ଉନ୍ମୋଚନରେ ପୋଲିସ କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।