ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରି ଯୁବକ ଗିରଫ

ତରଭା,୭ା୩(ଡି.ଏନ.ଏ.): ଯୁବତୀଙ୍କ ସହ ସୋସିଆଲ ମିଡିଆରେ ସମ୍ପର୍କ ସ୍ଥାପନ କଲେ। ପରେ ସମ୍ପୃକ୍ତ ଯୁବତୀଙ୍କୁ ଟଙ୍କା ମାଗି ବ୍ଲାକମେଲ କରିଥିଲେ। ଏଥିରେ ସଫଳ ନ ହେବାରୁ ଶେଷରେ ଆପତ୍ତିଜନକ ଫଟୋ ସବୁ ଭାଇରାଲ କରିବା ଅଭିଯୋଗରେ ସୁବର୍ଣ୍ଣପୁର ଜିଲା କମସରା ଫାଣ୍ଡି ପୋଲିସ ବୌଦ୍ଧ ଜିଲା ମନୁମୁଣ୍ଡା ଥାନା ଅଧିନ ଖମ୍ବେଶ୍ୱରୀପାଲି ଗ୍ରାମର ପଦ୍ମନାଭ ରଣା(୨୧)ଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଥିଲା। ତରଭା ଜେଏମ୍‌ଏଫସି ଜାମିନ ନାମଞ୍ଜୁର କରିବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏ ସମ୍ବନ୍ଧରେ ସୋମବାର ସୋନପୁର ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗି ତରଭା ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି। ରବିବାର ପୀଡିତାଙ୍କ ଏତଲା ଅନୁଯାଇ ତରଭା ଥାନା ଆଇଆଇସି ସୁବ୍ରତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏସଆଇ ଯଯାତି କେଶରୀ ସାହୁ, ଏଏସଆଇ ନିମାଇଁ ଚରଣ ବାରିକ ଖମ୍ବେଶ୍ୱରୀପାଲିକୁ ଯାଇ ପଦ୍ମନାଭଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଉକ୍ତ ଘଟଣାରେ ବ୍ୟବହୃତ ମୋବାଇଲ ଜବତ ହୋଇଛି। ଅଭିଯୁକ୍ତ ଭିଡିଓ କଲକୁ ରେକଡିଙ୍ଗ କରି ପୀଡିତାଙ୍କୁ ଟଙ୍କା ମାଗିବା ସହ ନ ଦେଲେ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯିବ ବୋଲି ଧମକ ଦେଇଥିଲେ। ଶେଷରେ ଅଶ୍ଳିଳ ଭିଡିଓ ସବୁକୁ ପୋଷ୍ଟ କରିଦେଇଥିଲେ ବୋଲି ଏସ୍‌ଡିପିଓ ନିଙ୍ଗୀ ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ଏତଲାକୁ ଭିତ୍ତି କରି ତରଭା ଥାନାରେ ଏକ ମାମଲା(୪୨/୨୩) ରୁଜୁ ହୋଇଛି।