ଟ୍ରକ୍‌ ଧକ୍କାରେ ଯୁବକ ଗୁରୁତର: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କାମାକ୍ଷାନଗର,୧୪।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଆଳତୁମା ଛକ ନିକଟରେ ଶୁକ୍ରବାର ରାତିରେ ଟ୍ରକ୍‌-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବାଇକ୍‌ ଆରୋହୀ ଆଳତୁମା ଗ୍ରାମର ପ୍ରିୟବ୍ରତ ପ୍ରଧାନ(୨୧)ଗୁରୁତର ଆହତ ହୋଇଛନ୍ତି। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, (ଓଡି ୧୯-ଜି-୬୭୨୩) ନମ୍ବର ବିଶିଷ୍ଟ ଏକ କୋଇଲା ବୋଝେଇ ଟ୍ରକ୍‌ ୫୩ ନମ୍ବର ରାଜପଥରେ ତାଳଚେରରୁ କାମାକ୍ଷାନଗର ଦେଇ ଡୁବୁରି ଯାଉଥିବାବେଳେ ଆଳତୁମା ଛକରେ ବିପରୀତ ଦିଗରୁ ଆସୁଥିବା ବାଇକ୍‌ (ଓଡି ୦୬-ଇ-୩୪୯୪) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଶନିବାର ସକାଳେ ଆଳତୁମା ଗ୍ରାମବାସୀ ଏକାଠି ହୋଇ ଆଳତୁମା ଛକଠାରେ ଶାନ୍ତି ଶୃଙ୍ଖଳାର ସହ ଭାରିଯାନକୁ ଅଟକାଇ ଆହତ ଯୁବକଙ୍କୁ କ୍ଷତିପୂରଣ ଓ ଦିନରେ ସହର ମଧ୍ୟ ଦେଇ ଭାରିଯାନ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ ଦାବି କରିଛନ୍ତି। ଫଳରେ ରାସ୍ତାର ଉଭୟ ପାଶର୍‌ବରେ ଶହ ଶହ ଭାରିଯାନ ଅଟକି ରହିଛି।