ଲୋଭର ବଶବର୍ତ୍ତୀ ନ ହୋଇ ଯୁବକ ଫେରାଇଲେ ୨୨ ହଜାର ଟଙ୍କା

ସୁନ୍ଦରଗଡ,୧୯।୧୦(ଡି.ଏନ୍‌.ଏ.)-ଆଜି ବିଞ୍ଚିଛି ମାନବିକତା। ଲୋଭର ବଶବର୍ତ୍ତୀ ନ ହୋଇ ଜଣେ ଯୁବକ ଶହେ କି ହଜାରେ ନୁହେଁ ଏକାବେଳେ ୨୨ ହଜାର ଟଙ୍କା ରାସ୍ତାରୁ ପାଇଥିଲେ ମଧ୍ୟ ଏହାର ପ୍ରକୃତ ମାଲିକଙ୍କୁ ଫେରାଇ ଦେଇଛନ୍ତି। ଏହି ଘଟଣା ସୁନ୍ଦରଗଡ ଜିଲା ବିଲେଇମୁଣ୍ଡାରେ ଦେଖିବାକୁ ମିଳିଛି।
ଟପରିଆ କନ୍ଦାଢୁଡାର ବିବେକ ମଲ୍ଲିକ ବିଲେଇମୁଣ୍ଡାରେ ଥିବା ଏକ କପଡା ଦୋକାନରେ କାମ କରନ୍ତି। ସୋମବାର ବିବେକ ରାସ୍ତାରେ ଯାଉଥିବାବେଳେ ୨୨ ହଜାର ଟଙ୍କା ସହ ଏକ ବିଲ୍‌ ପାଇଥିଲେ। ବିଲରେ ଗୋଟିଏ ଟେଲିିଫୋନ୍‌ ନମ୍ବର ରହିଥିଲା। ବିବେକ ସେହି ନମ୍ବରରେ ଯୋଗାଯୋଗ କରିବାରୁ ତାହା ରମେଶ ପଟେଲ ନାମକ ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଥିଲା। ତେବେ ଅସାବଧାନ ବଶତଃ ପ୍ୟାଣ୍ଟ ପକେଟରୁ ଟଙ୍କା ଓ ବିଲ୍‌ ଖସି ପଡିଥିବା ରମେଶ ବିବେକଙ୍କୁ କହିଥିଲେ। ଏହି ଖବର ଜାଣିବା ପରେ ସୁନ୍ଦରଗଡ ଏସ୍‌ପି ସାଗରିକା ନାଥ ସୋମବାର ବିବେକଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି।