ଟ୍ରକ୍‌ ଧକ୍କାରେ ଯୁବକ ମୃତ, ଉତ୍ତେଜନା

ଖୋର୍ଦ୍ଧା ଅଫିସ,୭ା୪: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ ଭୁବନେଶ୍ୱର-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥରେ ମଙ୍ଗଳବାର ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୮ଟାରେ ଆନ୍ଧ୍ର ପଟୁ ଏକ ମାଲବାହୀ ଟ୍ରକ(ନଂ.ଏପି୦୭ ଟିସି ୭୪୪୯) ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ପଛକୁ ପଛ ଟ୍ରକ୍‌ ଓ ଘରୋଇ ବସ୍‌ ଏବଂ ଅନ୍ୟାନ୍ୟ ଯାନବାହନ ଲାଗି ରହିଥିବା ଯୋଗୁ ଟ୍ରାଫିକ ଭିଡ଼ ରହିଥିଲା। ଏହି ସମୟରେ ଯୁବକ ଜଣଙ୍କ ରାସ୍ତା ଅତିକ୍ରମ କରୁଥିବା ବେଳେ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଛିଟିକି ପଛ ଚକା ତଳେ ପଶିଯାଇଥିଲେ। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯାନବାହନ ଅଟକି ରହିଥିଲା। ଖବରପାଇ ଟାଉନ ଥାନା ପୋଲିସ ପହଞ୍ଚି ଚକା ତଳୁ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ରାସ୍ତା ପାଲଟିଛି ମରଣଯନ୍ତା: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏପ୍ରିଲ ପହିଲାରୁ ଅଣ୍ଡରପାସ ନିର୍ମାଣ କାର୍ଯ୍ୟ ଚାଲିଛି। ଫଳରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି। ଯାନବାହନ ରାସ୍ତାର ଉଭୟ ପାର୍ଶ୍ୱରେ ରହିଥିବା ସବ୍‌ ରୋଡ ଦେଇ ଯାତାୟାତ କରୁଛନ୍ତି। ସବ୍‌ ରୋଡ ରାସ୍ତା ସଙ୍କୁଚିତ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଜାତୀୟ ରାଜପଥ ପଟୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ଲୋକେ ହଇରାଣ ହେଉଛନ୍ତି। ଯାନବାହନଗୁଡିକ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛନ୍ତି। ଉକ୍ତ ସ୍ଥାନରେ ତିନି ଦିନ ମଧ୍ୟରେ ଏକାଧିକ ଦୁର୍ଘଟଣା ଘଟିଲାଣି। ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ ରାସ୍ତା ମରଣଯନ୍ତା ପାଲଟିଛି। ଅନ୍ୟପଟେ ଅଣ୍ଡରପାସ ନିର୍ମାଣ ହେଲେ ଦୁର୍ଘଟଣା ବଢ଼ିବ ବୋଲି ଖୋର୍ଦ୍ଧା ଜିଲା ନାଗରିକ ମଞ୍ଚ ଆବାହକ ସଞ୍ଜୟ ପଟ୍ଟନାୟକ କହିଛନ୍ତି। ଏଠାରେ ଫ୍ଲାଏଓଭର ନିର୍ମାଣ ଲାଗି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ଜିଲା ପ୍ରଶାସନର ଅବହେଳାରୁ ଏହି ରାସ୍ତା ବିପଦସଙ୍କୁଳ ହୋଇପଡିଛି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେବ ଲାଗି ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି।