ରାୟଗଡା,୨୭।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାରେ ଦିନକୁ ଦିନ ଦାଦନଙ୍କ ଦୁଃଖ ବଢ଼ୁଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ଦାଦନ ଖଟିବାକୁ ଯାଇ କିଛି ମୃତ୍ୟୁବରଣ କରିଥିବା ବେଳେ କିଛି ଲୋକ ନିଖୋଜ ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ରାୟଗଡା ବ୍ଲକ ପଦକାପାଡୁ ଗ୍ରାମର ଫକିର ମିଣିଆକା(୩୬) ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିବା ତାଙ୍କ ସ୍ତ୍ରୀ ଶାନ୍ତି ମିଣିଆକା ସୂଚନା ଦେବା ସହ ତାଙ୍କୁ ଖୋଜି ଆଣିବା ପାଇଁ ନିବେଦନ କରିଛନ୍ତି । ଏ ନେଇ ସେ ମଙ୍ଗଳବାର ରାୟଗଡା ଏସ୍ପିଙ୍କୁ ଲିଖିତ ଭାବେ ଅବଗତ କରିଛନ୍ତି।
ସୂଚନା ଅନୁଯାୟୀ, ରାୟଗଡା ବ୍ଲକ କୁମ୍ବିକୋଟା ପଞ୍ଚାୟତ ଟିଟିଝୋଲା ଗ୍ରାମର ମଇଁଷି କାଣି ନାମକ ଜଣେ ମଧ୍ୟସ୍ଥି ବାଙ୍ଗାଲୋରଠାରେ କାର୍ଯ୍ୟ କରିବ ବୋଲି କହି ଡିସେମ୍ବର ୩ ତାରିଖରେ ଫକିରଙ୍କୁ ନେଇ ରାୟଗଡା ଶେସନରେ ଦଲାଲଙ୍କ ହାତରେ ଟେକି ଦେଇଥିଲେ । ତାଙ୍କୁ ଖାଇବା ପିଇବା ସହ ମାସକୁ ୧୨ ହଜାର ଟଙ୍କା ମିଳିବ ବୋଲି କୁହାଯାଇଥିଲା । କିନ୍ତୁ ଗତ ଡିସେମ୍ବର ୨୧ ତାରିଖରେ ଉକ୍ତ ଦଲାଲ ଫୋନ ଯୋଗେ ପରିବାରକୁ ଫକିର କାମରେ ଯୋଗ ଦେଇନାହିଁ ବୋଲି ଜଣାଇଥିଲା । ଫକିରକୁ କାମକୁ ନେଇଥିବା ଲୋକର ଫୋନ ନମ୍ବର ୭୯୭୮୨୪୮୫୨୫ ବୋଲି ସ୍ତ୍ରୀ ଶାନ୍ତି ଲିଖିତ ଭାବରେ ଜଣାଇଛନ୍ତି। ଫକିରକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କେଣସି ପତ୍ତା ମିଳି ପାରୁନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟେ ଫକିରକୁ କାମଦେବି ବୋଲି କହି ନେଇଥିବା ବ୍ୟକ୍ତି ଦେଉଥିବା ତଥ୍ୟରେ କୌଣସି ତାଳମେଳ ରହୁ ନ ଥିବା ଏବଂ ମିଥ୍ୟା ତଥ୍ୟ ଦେଉଥିବାରୁ ଫକିର ମୃତ କି ଜୀବିତ ସେ ନେଇ ସନ୍ଦେହ ଉପୁଜୁଥିବା ସ୍ତ୍ରୀ ଶାନ୍ତି ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସେମାନଙ୍କ ଦୁଇଟି ଛୋଟ ପିଲା ଏବଂ ଫକିର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ସ୍ବାମୀଙ୍କୁ ଫେରାଇଆଣିବା ପାଇଁ ପ୍ରଶାସନ ଏବଂ ପୋଲିସକୁ ନିବେଦନ କରିଛନ୍ତି । ଏ ନେଇ ପରିବାର ରାୟଗଡା ଥାନାରେ ଗତ ଡିସେମ୍ବର ୨୭ ତାରିଖରେ ନିଖୋଜ ହେବା ନେଇ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ପରିବାର ପ୍ରକାଶ କରିଛନ୍ତି । ମଙ୍ଗଳବାର ସୂଚନା ପାଇ ଜିଲା ଶ୍ରମ ଅଧିକାରୀ ରବୀନ୍ଦ୍ରନାଥ ତ୍ରିପାଠୀ ଫକିରଙ୍କୁ କାର୍ଯ୍ୟକୁ ନେଇଥିବା ଗଞ୍ଜାମ ଅଞ୍ଚଳର ସଞ୍ଜୟ ସ୍ବାଇଁଙ୍କୁ ଯୋଗାଯୋଗ କରି ବାଙ୍ଗାଲୋରରେ ଏଫ୍.ଆଇ୍.ଆର୍ ଦେବା ପାଇଁ କହିବା ସହ ଫକିରଙ୍କ ସମ୍ପର୍କରେ ତଥ୍ୟ ଦେବା ପାଇଁ ତାଗିଦ କରିଥିଲେ । ଜିଲା ଶ୍ରମ ଅଧିକାରୀ ତ୍ରିପାଠୀ ନିଖୋଜ ଫକିରଙ୍କୁ ଖୋଜିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ।

