ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର କରିଛି। ମାନେଶ୍ୱର ମାଳତୀଯୋର ବ୍ରିଜ ଠାରୁ ପ୍ରାୟ ୫ଶହ ମିଟର ଦୂରରେ ଯୋର ଗର୍ଭରେ ଥିବା ଏକ ପଥର ଚଟାଣ ତଳୁ ଶ୍ରମିକଙ୍କ ମୃତଦେହ ମିଳିଛି। ଘଟଣାସ୍ଥଳରେ ଏସ୍ଡିପିଓ ତୋଫାନ ବାଗ, ଧନୁପାଲି ଆଇଆଇସି ଆଦିତ୍ୟ ମହାକୁର ଓ ଅନ୍ୟ ପୋଲିସ ଅଧିକାରୀମାନେ ପହଞ୍ଚତ୍ ମୃତଦେହକୁ ଜବତ କରି ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍)କୁ ନେଇ ସେଠାରେ ଥିବା ଶବଗୃହରେ ରଖିଛନ୍ତି। ଏ ନେଇ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ପରିବାର ଲୋକ ଆସିଲା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।
ସୂଚନାଯୋଗ୍ୟ, ରାଜସ୍ଥାନ ବାଡ଼ମେର ଜିଲା ବିୟନଗରର ଗ୍ରାମର ମୃତକ ପ୍ରକାଶ ସରଣ(୨୧)ଙ୍କ ସହ ସେହି ଗ୍ରାମର ଅନ୍ୟ ୨ ପ୍ରବାସୀ ଶ୍ରମିକ ମାନେଶ୍ୱରସ୍ଥିତ ଏକ ଘରୋଇ ସଂସ୍ଥାରେ ଏକମାସ ହେଲା କାର୍ଯ୍ୟ କରୁଥିଲେ। ଗୁରୁବାର ମୃତକଙ୍କ ଜନ୍ମଦିନ ଥିବାରୁ ୩ ସାଙ୍ଗଙ୍କ ନିଷ୍ପତ୍ତି ଅନୁସାରେ ଦିନର କାମ ସରିଲା ପରେ ଗାଧୁଆ ପାଧୁଆ ସାରି ଜନ୍ମିଦନ ପାଳନ କରିଥାଆନ୍ତେ।
ତେଣୁ ଅପରାହ୍ନ ୫ଟାରେ କାମ ସାରି ୩ ସାଙ୍ଗ ମିଶି ମାଳତୀଯୋର ଘାଟକୁ ଗାଧୋଇବାକୁ ଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ କେହି ପହଁରା ଜାଣି ନ ଥିବା ବେଳେ ଗାଧୋଇଲା ସମୟରେ ହଠାତ ଗୋଡ଼ ଖସିଯିବାରୁ ପ୍ରକାଶ ଯୋରର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କର ଅନ୍ୟ ୨ ବନ୍ଧୁ ମଧ୍ୟ ଭାସି ଯାଉଥିବା ଦେଖି ଘାଟରେ ଗାଧୋଉଥିବା ଲୋକେ ତାଙ୍କୁ ଉଦ୍ଧାର କରିଥିଲେ।
ହେଲେ ପ୍ରକାଶ ଗଭୀର ଜଳ ସ୍ରୋତରେ ଭାସିଯାଇଥିଲେ। ପରେ ଖବରପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ରାତ୍ରିର ଅନ୍ଧକାର ଖୋଜାଖୋଜି କରିବାରେ ବାଧକ ସାଜିବାରୁ ଉଦ୍ଧାର କାର୍ଯ୍ୟକୁ ରାତି ୮ଟାରେ ସ୍ଥଗିତ ରଖାଯାଇ ଶୁକ୍ରବାର ସକାଳ ୮ଟାରେ ପୁଣି ଆରମ୍ଭ କରାଯାଇଥିଲା। ଦୀର୍ଘ ୫ ଘଣ୍ଟାର ଖୋଜାଖୋଜି କରିବା ପରେ ପ୍ରକାଶଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।