ରାଉରକେଲା,୧୬।୧୧(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଥାନା ଅଧୀନ ଏରଗେଡା ପଡ଼ିଆରେ ରବିବାର ୨ଟି ଦନ୍ତା ହାତୀଙ୍କ ଘମାଘୋଟ ଲଢେଇ ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଏରଗେଡା ଗ୍ରାମର ମାଙ୍ଗରା କୁଜୁର(୪୦)। ଏ ନେଇ ମୃତକଙ୍କ ମା’ ସୋମବାରୀ କୁଜୁର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ମାମଲା (ନଂ.୧୭/୨୫) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ରାଉରକେଲା ବନ ବିଭାଗ ଅନ୍ତର୍ଗତ ଲାଠିକଟା ଜଙ୍ଗଲରେ ରବିବାର ୨ଟି ଦନ୍ତା ହାତୀ ଲଢ଼େଇ କରୁଥିଲେ। ସେମାନେ ଲଢ଼େଇ କରି ଏରଗେଡା ପଡ଼ିଆ ପର୍ଯ୍ୟନ୍ତ ଚାଲିଆସିଥିଲେ। ସେଠାରେ ଏକ ପିପଲ ଗଛ ତଳେ ରଖାଯାଇଥିବା ପିକ୍ଅପ୍ ଭ୍ୟାନକୁ ଭଙ୍ଗାରୁଜା କରିଥିଲେ। ଏହି ସମୟରେ ମାଙ୍ଗରା ଉକ୍ତ ପିକ୍ଅପ୍ ଭ୍ୟାନ ତଳେ ଥିବା ଦେଖି ହାତୀ ତାଙ୍କୁ ଟେକି କଚାଡ଼ିବା ପରେ ପାଦରେ ଦଳିଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଖବର ପାଇ ବନ ବିଭାଗ କର୍ମଚାରୀମାନେ ସେଠାକୁ ଯାଇ ଯୁବକଙ୍କ ମୃତଦେହ ଉଦ୍ଧାର କରି ହାତୀଙ୍କୁ ଘଉଡାଇଥିଲେ। ମୃତକଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଗତ ୩ ମାସ ମଧ୍ୟରେ ହାତୀ ଆକ୍ରମଣରେ ୪ରୁ ଊର୍ଦ୍ଧ୍ୱ ଜୀବନ ଗଲାଣି।

