ଥାନାରେ ଯୁବକଙ୍କ ଆତ୍ମହତ୍ୟା

ଗୋପାଳପୁର,୩ା୫: ଗଞ୍ଜାମ ଜିଲା ଗୋଳନ୍ଥରା ଥାନାରେ ଜଣେ ଯୁବକ ସୋମବାର ରାତି ପ୍ରାୟ ୮ଟାରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଗୋଳନ୍ଥରା ଥାନା ଅଧୀନ ରଙ୍ଗିପୁର ଗ୍ରାମର ଗଣେଶ ଡାକୁଆ। ଅପରାହ୍ନରେ ରଙ୍ଗିପୁର ପଞ୍ଚାୟତ କାର୍ଯ୍ୟାଳୟରେ ରାଶନ ଚାଉଳ ବଣ୍ଟାବେଳେ ଗଣେଶ ଗଣ୍ଡଗୋଳ କରିଥିଲେ। ଏ ନେଇ ଥାନାକୁ ଖବର ମିଳିଥିଲା। ପୋଲିସ ପହଞ୍ଚି ଗଣେଶଙ୍କୁ ଉଠାଇ ନେଇ ଥାନା ପରିସରରେ ଥିବା ମହିଳା ଓ ଶିଶୁ ଡେସ୍କରେ ରଖିଥିଲା। ରାତି ପ୍ରାୟ ୮ଟାରେ ଗଣେଶ ବେକରେ ନିଜ ବେଲ୍ଟ ବାନ୍ଧି ଝୁଲିପଡ଼ିଥିଲେ। ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।