ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ ଲଳିତ ପୂଜାରୀ (୩୫)। ଅଭିଯୋଗ ଅନୁସାରେ ଗତ ବୁଧବାର ଲଳିତଙ୍କ ସହ ଶଙ୍କର ନାଏକ ଓ ସୁଶାନ୍ତ ନାଏକଙ୍କ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉଦ୍‌କ୍ଷିପ୍ତ ହୋଇ ସୁଶାନ୍ତ ଲଳିତଙ୍କୁ ଠେଙ୍ଗାରେ ଅତର୍କିତ ଆକ୍ରମଣ କରିଥିଲେ। ମୁମୁର୍ଷୁ ଅବସ୍ଥାରେ ପରିବାର ଲୋକେ ଲଲିତଙ୍କୁ ଉଦ୍ଧାର କରିଥିବା ବେଳେ ଘରେ ରହି ସେ ଚିକିତ୍ସିତ ହେଉଥିଲେ। ହେଲେ ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ପରିବାର ଲୋକେ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ଅଭିଯୁକ୍ତ ସୁଶାନ୍ତ ଓ ତାଙ୍କ ବାପା ଶଙ୍କର ନାଏକଙ୍କୁ ଆମପାଣି ଥାନାରେ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି। ଲଳିତ ଅବିବାହିତ ଥିବା ଜଣାପଡିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।

Dharitri – Odisha’s No.1 Odia Daily

Share