ଲଣ୍ଡନ,୨୩ା୪:ବ୍ରିଟେନ୍ରେ ଭବିଷ୍ୟତ ପିଢ଼ିଙ୍କ ପାଇଁ ସିଗାରେଟ୍ କିଣା ନିଷିଦ୍ଧ କରିବା ଲାଗି ପାର୍ଲାମେଣ୍ଟରେ ଏକ ବିଲ୍ ଗୃହୀତ ହୋଇଛି। ଟବାକୋ ଆଣ୍ଡ ଭେପ୍ସ ବିଲ୍ ଅନୁଯାୟୀ, ୨୦୦୮ ଡିସେମ୍ବର ୩୧ ପରେ ଜନ୍ମିତ ପିଲାମାନେ ସିଗାରେଟ୍ କିଣିବାକୁ ନିଷେଧ କରାଯାଇଛି। ରାଜା ଚାଲର୍ସ ତୃତୀୟଙ୍କ ମଞ୍ଜୁରୀ ମିଳିବା ପରେ ଉକ୍ତ ବିଲ୍ ଆଇନରେ ପରିଣତ ହେବା ସହ ଦେଶରେ ଲାଗୁ ହେବ। ଉକ୍ତ ଆଇନ ବଳରେ କେବଳ ସିଗାରେଟ୍ ନୁହେଁ, ତମାଖୁ, ଇ-ସିଗାରେଟ୍ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ଉପରେ ମଧ୍ୟ କଟକଣା ଲାଗିବ। ୨୦୨୨ରେ ନ୍ୟୁଜିଲାଣ୍ଡରେ ଅନୁରୂପ ବିଲ୍ ଗୃହୀତ ହୋଇଥିଲା। ତେବେ ପରବର୍ତ୍ତୀ ସରକାର ଏହାକୁ ରଦ୍ଦ କରିଦେଇଥିଲେ। ୭୦ ଦଶକ ତୁଳନାରେ ବ୍ରିଟେନ୍ରେ ଧୂମପାନକାରୀଙ୍କ ସଂଖ୍ୟା ଦୁଇତୃତୀୟାଂଶ କମିଛି। ଏବେ ଜନସଂଖ୍ୟାର ୧୩ ପ୍ରତିଶତ ଧୂମପାନ କରୁଥିବା ଏକ ତଥ୍ୟରୁ ଜଣାପଡ଼ିଛି।