ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ତାଙ୍କର ଏହି ମନୋନୟନ ବଲାଙ୍ଗିର ଜିଲା  ପାଇଁ ଏକ ଗର୍ବ ଓ ଗୌରବର ବିଷୟ ହୋଇଛି।

ଆସନ୍ତା ଅକ୍ଟୋବର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିରର ଗାନ୍ଧୀ ଷ୍ଟାଡିୟମରେ ଓଡ଼ିଶା ଓ ବିହାର ମଧ୍ୟରେ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫିର ରୋମାଞ୍ଚକର ମ୍ୟାଚ ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ କଟକର ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଓ ବରୋଦା ମଧ୍ୟରେ ମ୍ୟାଚ ଖେଳାଯିବ। ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଓମକାର ଓଡ଼ିଶା ଦଳର ପ୍ରତିନିଧିତ୍ୱ କରି ନିଜର ଦକ୍ଷତା ପ୍ରତିପାଦନ କରିବେ।

ବଲାଙ୍ଗିର ପେଲେସ ଲାଇନ୍‌ର କୌଶିକ ମହାନ୍ତି ଓ ନିବେଦିତା ମହାନ୍ତିଙ୍କ ପୁଅ ତଥା ଯୁବ କ୍ରିକେଟର୍‌ ଓମକାରଙ୍କ ଏହି ଅସାଧାରଣ ସଫଳତାକୁ ନେଇ ବଲାଙ୍ଗୀର କ୍ରୀଡ଼ା ସଂସଦ ଏବଂ ଜିଲାର କ୍ରିକେଟପ୍ରେମୀଙ୍କ ମହଲରେ ବେଶ୍ ଖୁସିର ଲହରୀ ଖେଳିଯାଇଛି। ଜଣେ ଯୁବ ଖେଳାଳି ଭାବେ ରାଜ୍ୟସ୍ତରୀୟ ଦଳରେ ସ୍ଥାନ ପାଇବା ବଲାଙ୍ଗିରର କ୍ରିକେଟ ଜଗତ ପାଇଁ ଏକ ଅତ୍ୟନ୍ତ ଉତ୍ସାହଜନକ ଖବର ଅଟେ। ଓମକାର ଆଗାମୀ ମ୍ୟାଚଗୁଡ଼ିକରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଓଡ଼ିଶା ତଥା ବଲାଙ୍ଗିରର ନାମକୁ ଜାତୀୟ ସ୍ତରରେ ଉଜ୍ଜ୍ୱଳ କରନ୍ତୁ ବୋଲି ସମସ୍ତେ ଆଶା ଓ ଶୁଭେଚ୍ଛା ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share