ବରଗଡ,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି ଜଣେ କୁନି ଚେସ୍ ଖେଳାଳି। ବରଗଡ଼ ଚେସ୍ ଆସୋସିଏସନ ତରଫରୁ ପରିଚାଳିତ ପ୍ରଶିକ୍ଷଣ କେନ୍ଦ୍ର ‘ଲିଟିଲ୍ ଚାମ୍ପ୍’ର ଶିକ୍ଷାର୍ଥୀ ରୋନକ୍ କୁମାର ପ୍ରଧାନ ଚଳିତ ଜୁଲାଇ ମାସରୁ ଆନ୍ତର୍ଜାତୀୟ ଫିଡେ (FIDE) ରେଟିଂ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଭୁବନେଶ୍ୱରର କିଟ୍ (KIIT) ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସପ୍ତଦଶ ଆନ୍ତର୍ଜାତୀୟ ଚେସ୍ ମେଳାରେ ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ କରି ରୋନକ୍ ଏହି ବଡ଼ ସଫଳତା ଅର୍ଜନ କରିଛନ୍ତି। ସ୍ଥାନୀୟ ରୋଟାରି ପବ୍ଲିକ ସ୍କୁଲରେ ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା, ଯେଉଁଠାରେ ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରଛାତ୍ରୀ ଓ କର୍ମକର୍ତ୍ତାମାନେ ରୋନକ୍ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ।
ଏହି ସମ୍ବର୍ଦ୍ଧନା ଉତ୍ସବରେ ବରଗଡ଼ ଚେସ୍ ଆସୋସିଏଶନର ସମ୍ପାଦକ କେଶରଞ୍ଜନ ପ୍ରଧାନ, ସହ-ସମ୍ପାଦକ ସୁନୀଲ ପୁରୋହିତ, ପ୍ରଶିକ୍ଷକ ସୁନିଲ ସିଂ ଏବଂ ଡ୍ରପ ଦୁଆନ ପ୍ରମୁଖ ଉପସ୍ଥିତ ରହି ରୋନକ୍ଙ୍କୁ ଉତ୍ସାହିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ବରଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଥିବା ରୋନକ୍ ହେଉଛନ୍ତି ବରଗଡ଼ ବ୍ଲକ କୁର୍ଲା ଗ୍ରାମର ବାସିନ୍ଦା ଜୟରାମ ପ୍ରଧାନ ଏବଂ କଳ୍ପନା ପ୍ରଧାନଙ୍କ ପୁତ୍ର। ରୋନକ୍ଙ୍କ ଏହି ଆନ୍ତର୍ଜାତୀୟ ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।