‘ଅନ୍ୟ ସହ ନିଜକୁ ତୁଳନା ନ କରି ଆତ୍ମବିଶ୍ୱାସ ବୃଦ୍ଧି କରିବା ଉଚିତ’ ଉତ୍ତର ଦେଲେ ହରନାଜ୍‌…

ଇଲାଟ୍‌, ୧୩।୧୨: ଲାରା ଦତ୍ତା ମିସ୍‌ ୟୁନିଭର୍ସ ଭାବରେ ବିଜୟୀ ହେବାର ୨୧ବର୍ଷ ପରେ ପୁଣି ଥରେ ଭାରତ ପାଇଁ ଗର୍ବର ଏକ ମୁହୂର୍ତ୍ତ ଆସିଛି। ଭାରତର ହରନାଜ କୌର ସାନ୍ଧୁଙ୍କୁ ମିସ୍‌ ୟୁନିଭର୍ସ ଭାବେ ଚୟନ କରାଯାଇଛି। ତାଙ୍କୁ ମିସ୍‌ ୟୁନିଭର୍ସ ଭାବେ ଚୟନ କରାଯିବା ସମଗ୍ର ଦେଶ ପାଇଁ ଗର୍ବର ବିଷୟ। ୨୦୦୦ରେ ଭାରତ ମିସ୍‌ ୟୁନିଭର୍ସର ମୁକୁଟ ପାଇଥିଲା।

ଇସ୍ରାଏଲର ଇଲାଟ୍‌ରେ ହୋଇଥିବା ମିସ୍‌  ୟୁନିଭର୍ସ-୨୦୨୧ ପ୍ରତିଯୋଗିତାର ଚୂଡ଼ାନ୍ତ ପ୍ରର୍ଯ୍ୟାୟରେ ଶ୍ରେଷ୍ଠ ତିନି ପ୍ରତିଯୋଗୀଙ୍କୁ ପ୍ରଶ୍ନ ପଚରାଗଲା, ଆପଣ ଚାପର ସମ୍ମୁଖୀନ ହେଉଥିବା ମହିଳାମାନଙ୍କୁ କେଉଁ ପରାମର୍ଶ ଦେବେ? ଏହାର ଉତ୍ତରରେ ସାନ୍ଧୁ କହିଥିଲେ ଯେ ସାମ୍ପ୍ରତିକ ସମୟରେ ଯୁବବର୍ଗଙ୍କୁ ନିଜ ଉପରେ ବିଶ୍ୱାସ କରିବା ଆବଶ୍ୟକ। ଯୁବପଢ଼ି ଅନ୍ୟମାନଙ୍କ ସହ ତୁଳନା କରିବା ବନ୍ଦ କରିବା ଉଚିତ ବୋଲି ସେ କହିଥିଲେ। ମୁଁ ନିଜ ଉପରେ ବିଶ୍ୱାସ କରିଛି ଏବଂ ସେଥିପାଇଁ ଆଜି ଏଠାରେ ପହଞ୍ଚିପାରିଛି। ହରନାଜ୍‌ଙ୍କ ଏହି ଉତ୍ତର ବିଚାରକ ମଣ୍ଡଳୀଙ୍କ ହୃଦୟକୁ ଛୁଇଁଥିଲା।

ଗତ ବର୍ଷର ମିସ ୟୁନିଭର୍ସ ମେକ୍ସିକୋର ଆଣ୍ଡ୍ରିଆ ମେଜା ହରନାଜ୍‌ଙ୍କୁ ମୁକୁଟ ପିନ୍ଧାଇଥିଲେ। ପ୍ରତିଯୋଗୀତାରେ ପାରାଗୁଏର ୨୨ ବର୍ଷ ବୟସ୍କା ନାଦିଆ ଫେରେରା ଦ୍ୱିତୀୟ ସ୍ଥାନ ହାସଲ କରିଥିବାବେଳେ ଦକ୍ଷିଣ ଆଫ୍ରିକାର ୨୪ ବର୍ଷ ବୟସ୍କା ଲାଲେଲା ମିସୱାନେ ତୃତୀୟ ସ୍ଥାନରେ ରହିଛନ୍ତି।

ମିସ ୟୁନିଭର୍ସ ମୁକୁଟ ପିନ୍ଧିଥିବା ହରନାଜ୍‌ ୨୦୧୭ରେ ମିସ ଚଣ୍ଡିଗଡ଼ ଭାବେ ବିଜୟୀ ହୋଇଥିଲେ। ହରନାଜ୍‌ ମୂଳତଃ ପଞ୍ଜାବର ଚଣ୍ଡିଗଡ଼ର ବାସିନ୍ଦା। ବୃତ୍ତିରେ ସେ ଜଣେ ମଡେଲ। ସେ ପବ୍ଲିକ ଆଡମିନିଷ୍ଟ୍ରେଶନରେ ପୋଷ୍ଟ୍‌ ଗ୍ରାଜୁଏଶନ କରୁଛନ୍ତିି।

ହରନାଜ୍‌ ଦୁଇଟି ପଞ୍ଜାବୀ ଚଳଚ୍ଚିତ୍ରରେ କାମ କରୁଛନ୍ତି। ସେଗୁଡ଼ିକର ନାମ ୟାରା ଦିୟା ପୁ ବାରାଂ ଏବଂ ବାଇ ଜୀ କୁଟାଙ୍ଗେ। ହରନାଜ୍‌ଙ୍କ ଗ୍ଲାମରସ୍‌ ଷ୍ଟାଇଲ୍‌କୁ ପ୍ରଶଂସକ ବେଶ୍‌ ପସନ୍ଦ କରିଥାନ୍ତି।

 

Share