Categories: ଜାତୀୟ

ଶୋରୁମ୍‌ରେ ଚାଷୀଙ୍କୁ କହିଲେ ‘ପାଖରେ ୧୦ ଟଙ୍କା ନାହିଁ, ଗାଡ଼ି କିଣିବାକୁ ଆସିଛ’, ତା’ ପରେ

ବାଙ୍ଗାଲୋର,୨୪।୧: ବୋଲେରୋ ପିକ୍‌ ଅପ୍‌ ଟ୍ରକ କିଣିବାକୁ ଶୋରୁମ୍‌ ଆସିଥିବା ଜଣେ ଚାଷୀଙ୍କୁ ଅପମାନ ଦେଇଥିଲେ ଜଣେ ସେଲ୍ସମ୍ୟାନ। ଉତ୍ତ୍ୟକ୍ତ ହୋଇ ଚାଷୀ ଘଣ୍ଟାକ ମଧ୍ୟରେ ଟଙ୍କା ନେଇ ଆସିଥିଲେ। ଶେଷରେ କ୍ଷମାପ୍ରାର୍ଥନା କରିଥିଲେ ସେଲ୍ସମ୍ୟାନ। ଘଟଣାଟି କର୍ନାଟକର ତୁମାକୁରୁ ଅଞ୍ଚଳରେ ଥିବା ମହିନ୍ଦ୍ରା ଶୋରୁମ୍‌ରେ ଶୁକ୍ରବାର ଘଟିଥିଲା। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରିକି ଭିଡିଓକୁ ଟୁଇଟରରେ ଶେୟାର କରିଛନ୍ତି ଆନନ୍ଦ ମନିନ୍ଦ୍ରା।

ଚାଷୀ କେମ୍ପେଗୌଡ଼ା ସାଙ୍ଗମାନଙ୍କ ସହ ବୋଲେରୋ ପିକ୍‌ ଅପ୍‌ କିଣିବାକୁ ଯାଇଥିଲେ। କିନ୍ତୁ ତାଙ୍କ ରୂପ ଓ ପୋଷାକ ଦେଖି ସେଲ୍ସମ୍ୟାନ୍‌ କହିଥିଲେ, କାରର ମୂଲ୍ୟ ୧୦ ଲକ୍ଷ। ସମ୍ଭବତଃ ତୁମ ପକେଟରେ ୧୦ ଟଙ୍କା ନ ଥିବ। ଏଥି ଯୋଗୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ‘ଘଣ୍ଟାକ ମଧ୍ୟରେ ଟଙ୍କା ଆଣି ଆସୁଛି। ଏସ୍‌ୟୁଭି ଡେଲିଭରୀ ବ୍ୟବସ୍ଥା କର’ କହି ଶୋରୁମ୍‌ରୁ ଚାଲି ଆସିଥିଲେ କେମ୍ପେଗୌଡ଼ା।

କିଛି ଘଣ୍ଟା ପରେ ସେ ଟଙ୍କା ଧରି ଫେରିଥିଲେ। ଏଥିରେ ଚକିତ ହୋଇଯାଇଥିଲେ ସେଲ୍ସ ଏକ୍ସକ୍ୟୁଟିଭ। କିନ୍ତୁ ସଙ୍ଗେସଙ୍ଗେ ଏସ୍‌ୟୁଭି ଡେଲିଭର କରିବାରେ ବିଫଳ ହୋଇଥିଲେ। ସାଧାରଣତଃ ଏସ୍‌ୟୁଭି ପାଇଁ ଲମ୍ବା ଓ୍ବେଟ୍‌ଲିଷ୍ଟ ରହିଥାଏ। ଏସ୍‌ୟୁଭି ଡେଲିଭର ପାଇଁ ଅତିକ୍ରମରେ ୪ ଦିନ ଲାଗେ। କେମ୍ପେଗୌଡ଼ା ଓ ତାଙ୍କ ସାଙ୍ଗମାନେ ସେଲ୍ସମ୍ୟାନଠାରୁ କ୍ଷମା ପ୍ରାର୍ଥନା ଦାବି କରିବାରୁ ପୁଣି ଥରେ ଯୁକ୍ତିତର୍କ ବଢ଼ିଥିଲା। ଏପରି କି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ଶେଷରେ ସେଲ୍ସମ୍ୟାନ କ୍ଷମା ମାଗିଥିଲେ।

“ମୁଁ ଏହି ଶୋରୁମ୍‌ରୁ କାର କିଣିବାକୁ ଚାହୁଁ ନାହିଁ” କହି ଚାଷୀ ୧୦ ଲକ୍ଷ ଟଙ୍କା ଧରି ଚାଲି ଯାଇଥିଲେ।

Share