Categories: ଜାତୀୟ

ସର୍ବାଧିକ ବର୍ଷେ ଘରେ ରହି କାମ କରିପାରିବେ

ନୂଆଦିଲ୍ଲୀ,୨୧।୭: ଘରେ ରହି କାର୍ଯ୍ୟ କରିବା ବା ଓ୍ବାର୍କ ଫ୍ରମ୍‌ ହୋମ୍‌ (ଡବ୍ଲ୍ୟୁଏଫ୍‌ଏଚ୍‌) ପାଇଁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ସ୍ପେଶିଆଲ୍‌ ଇକୋନୋମିକ ଜୋନ୍ସ(ଏସ୍‌ଇଜେଡ୍‌) ରୁଲ୍ସ,୨୦୦୬ରେ ଡବ୍ଲ୍ୟୁଏଫ୍‌ଏଚ୍‌ ପାଇଁ ବାଣିଜ୍ୟ ବିଭାଗ ପକ୍ଷରୁ ନୂଆ ରୁଲ୍‌ ୪୩(ଏ) ଅଣାଯାଇଛି। ନୂଆ ନିୟମ ଅନୁସାରେ ଏସ୍‌ଇଜେଡ୍‌ ୟୁନିଟରେ କାର୍ଯ୍ୟ କରୁଥିବା କର୍ମଚାରୀ ସର୍ବାଧିକ ବର୍ଷେ ପର୍ଯ୍ୟନ୍ତ ଘରେ ରହି କାର୍ଯ୍ୟ କରିପାରିବେ। ସେହିପରି ଏହା ସମ୍ପୃକ୍ତ ସଂସ୍ଥାରେ କାର୍ଯ୍ୟ କରୁଥିବା ମୋଟ କର୍ମଚାରୀଙ୍କ ସଂଖ୍ୟାରୁ ସର୍ବାଧିକ ୫୦ପ୍ରତିଶତ ପାଇଁ ଲାଗୁ ହୋଇପାରିବ। ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ସାରା ଦେଶରେ ଡବ୍ଲ୍‌ୟୁଏଫ୍‌ଏଚ୍‌ ନିୟମରେ ଏକକ ବ୍ୟବସ୍ଥା ଅଣାଯାଇଛି।

ବିଶେଷକରି ଏସ୍‌ଇଜେଡ୍‌ ଅଧୀନରେ ଆସୁଥିବା ସୂଚନା ଓ ପ୍ରଯୁକ୍ତି(ଆଇଟି) କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଏହି ନୂଆ ନିୟମ ଲାଗୁ ହେବ। ଏଥିସହିତ ଯେଉଁମାନେ ସାମୟିକ ଅକ୍ଷମ, ବିଭିନ୍ନ ସ୍ଥାନ ଯାତ୍ରା କରୁଥିବା କର୍ମଚାରୀ, କ୍ଷେତ୍ର ବାହାରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। ଏସ୍‌ଇଜେଡ୍‌ ଅଧୀନ ସଂସ୍ଥାରେ କାର୍ଯ୍ୟ କରୁଥିବା ମୋଟ କର୍ମଚାରୀଙ୍କ ମଧ୍ୟରୁ ସର୍ବାଧିକ ୫୦% ପର୍ଯ୍ୟନ୍ତ ଓ୍ବାର୍କ ଫ୍ରମ୍‌ ହୋମ କରିବାକୁ ଅନୁମତି ମିଳିପାରିବ।

ଏହି ସୁବିଧା ଚୁକ୍ତିଭିତ୍ତିକ କର୍ମଚାରୀ ମଧ୍ୟ ପାଇପାରିବେ। ଏବେ ଏହି ନିୟମ ସର୍ବାଧିକ ଏକ ବର୍ଷ ପାଇଁ ଲାଗୁ କରାଯାଇଥିବାବେଳେ ଭବିଷ୍ୟତରେ ନିର୍ଦ୍ଦିଷ୍ଟ ସଂସ୍ଥାର ଅନୁରୋଧକ୍ରମେ ବାଣିଜ୍ୟ ବିଭାଗ ଏହାକୁ ବୃଦ୍ଧି କରିପାରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏସ୍‌ଇଜେଡ୍‌ ଅଧୀନ ଯେଉଁ ସଂସ୍ଥାରେ କର୍ମଚାରୀମାନେ ପୂର୍ବରୁ ଓ୍ବାର୍କ ଫ୍ରମ୍‌ ହୋମ୍‌ କରୁଛନ୍ତି, ସେମାନଙ୍କ ପାଇଁ ନୂଆ ନିୟମ ଲାଗୁ କରିବା ନିମନ୍ତେ ଅନୁମତି ନେବାକୁ ୯୦ଦିନର ଅତିରିକ୍ତ ସମୟ ଦିଆଯାଇଛି।

Share