Categories: ଜାତୀୟ

ଦହି: ମୁଣ୍ଡ ନୁଆଇଲା ଏଫ୍‌ଏସ୍‌ଏସ୍‌ଏଆଇ

ନୂଆଦିଲ୍ଲୀ/ଚେନ୍ନାଇ/ବେଙ୍ଗାଲୁରୁ,୩୧ା୩:ନିର୍ବାଚନମୁହଁା କର୍ନାଟକ ସମେତ ତାମିଲନାଡୁ ଓ କେରଳରେ ଆଞ୍ଚଳିକ ଭାଷାଭାଷୀ ଗୋଷ୍ଠୀ ଏବଂ ରାଜନୈତିକ ଦଳଗୁଡ଼ିକର କଡ଼ା ବିରୋଧ ପରେ ଫୁଡ୍‌ ସିକ୍ୟୁରିଟି ଆଣ୍ଡ୍‌ ଷ୍ଟାଣ୍ଡାଡର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ଗୁରୁବାର ଏହାର ପୂର୍ବ ନିର୍ଦ୍ଦେଶନାମାରେ ପରିବର୍ତ୍ତନ ଆଣିଛି। ବର୍ତ୍ତମାନ ପ୍ୟାକେଟ୍‌ଗୁଡ଼ିକରେ ଲେଖାଥିବା ‘ଫର୍ମେଣ୍ଟେଡ୍‌ ମିଲ୍କ’ ପରିବର୍ତ୍ତେ ‘ଦହି’ ପ୍ରିଣ୍ଟ କରାଯିବ ବୋଲି ମାର୍ଚ୍ଚ ୧୦ରେ ଏଫ୍‌ଏସ୍‌ଏସ୍‌ଏଆଇ (ସାଇନ୍ସ ଆଣ୍ଡ୍‌ ଷ୍ଟାଣ୍ଡାଡର୍‌ସ) ଯୁଗ୍ମ ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି ଏକ ପତ୍ରରେ ଉଲ୍ଲେଖ କରାଯାଇଥିଲା। କର୍ଡ ପ୍ୟାକେଟ୍‌ଗୁଡ଼ିକରେ ‘ଦହି’ ଉଲ୍ଲେଖକୁ ଏଥିରେ ବାଧ୍ୟତାମୂଳକ କରାଯାଇଥିବାବେଳେ ବିବାଦ ସୃଷ୍ଟି ହେବା ପରେ ସେଥିରେ ଆଞ୍ଚଳିକ ଭାଷାରେ ପ୍ରିଣ୍ଟ୍‌ କରିବାକୁ ଗୁରୁବାର ଅନୁମତି ପ୍ରଦାନ କରାଯାଇଛି।
ନନ୍ଦିନୀ ନାମରେ ପରିଚିତ କର୍ନାଟକ ମିଲ୍କ ଫେଡେରେଶନ୍‌ (କେଏମ୍‌ଏଫ୍‌)ର ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ଏଫ୍‌ଏସ୍‌ଏସ୍‌ଏଆଇ ଅର୍ଡର ବଳରେ ହିନ୍ଦୀ ଲଦିଦିଆଯାଇଥିବା ଅଭିଯୋଗ ଆଣି ଏହାକୁ ବିରୋଧ କରିବା ପରେ ବିବାଦ ସୃଷ୍ଟି ହୋଇଥିଲା। ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ମଧ୍ୟ ଦକ୍ଷିଣ ଭାରତୀୟଙ୍କ ଉପରେ କେନ୍ଦ୍ର ସରକାର ହିନ୍ଦୀ ଭାଷାକୁ ଲଦିଦେଉଛନ୍ତି ବୋଲି ବୁଧବାର ଅଭିଯୋଗ ଆଣିଥିଲେ। ଏଥିସହ ଜାତୀୟ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷଙ୍କୁ ସେ ଟାର୍ଗେଟ କରିଥିଲେ। ଏଭଳି ଉଦ୍ୟମ କରୁଥିବା ଲୋକଙ୍କୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରୁ ବହିଷ୍କାର କରାଯିବ ବୋଲି ଷ୍ଟାଲିନ୍‌ ଟୁଇଟରରେ ଚେତାବନୀ ଦେଇଥିଲେ। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ମଧ୍ୟ ଏହାକୁ ବିରୋଧ କରିଥିଲେ। ନନ୍ଦିନୀ ପ୍ରଡକ୍ଟଗୁଡ଼ିକୁ ଏଫ୍‌ଏସ୍‌ଏସ୍‌ଏଆଇ ହାଇଜ୍ୟାକ୍‌ କରିନେବା ଦୁର୍ଭାଗ୍ୟଜନକ ବୋଲି ସେ ସମାଲୋଚନା କରିଥିଲେ। କେନ୍ଦ୍ରର ଶାସକ ଭାଜପା କେଏମ୍‌ଏଫ୍‌କୁ ଅମୂଲ ସହ ମିଶ୍ରଣ ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ଆସିଥିବାବେଳେ ଏହି ବିବାଦ ଘନେଇଥିଲା। କେବଳ ବିରୋଧୀ ନୁହନ୍ତି, ଭାଜପା ନେତାମାନେ ମଧ୍ୟ ଏଫ୍‌ଏସ୍‌ଏସ୍‌ଏଆଇର ନିଷ୍ପତ୍ତିକୁ ବିରୋଧ କରିଥିଲେ। ତାମିଲନାଡୁ ଭାଜପା ସଭାପତି ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର ଦାବି କରିଥିଲେ। ବିବାଦ ପରେ ଗୁରୁବାର ଏଫ୍‌ଏସ୍‌ଏସ୍‌ଏଆଇ କହିଛି, ଫୁଡ୍‌ ବିଜ୍‌ନେସ୍‌ ଅପରେଟର୍ସ (ଏଫ୍‌ବିଓ)ମାନେ ପ୍ୟାକେଟ୍‌ରେ ‘କର୍ଡ’ ଲେଖିପାରିବେ। ସେମାନେ ବନ୍ଧନୀରେ ସମାର୍ଥବୋଧକ ଶବ୍ଦ ‘ଦହି’, ‘ଥୟିର’ କିମ୍ବା ‘ମୋସାରୁ’ ଲେଖିବେ। ଇତିମଧ୍ୟରେ ଟୁଇଟରରେ ଦହି ବିରୋଧୀ ଅଭିଯାନ ‘ନେହିଁ ଟୁ ଦହି’ ବା ‘ଦହିକୁ ନା କୁହନ୍ତୁ’ ଟ୍ରେଣ୍ଡ୍‌ କରିଛି।

Share