Categories: ଜାତୀୟ

ଯୋଗୀଙ୍କ ଧ୍ରୁବୀକରଣ ରାଜନୀତି

ଲକ୍ଷ୍ନୌ,୨୪ା୧: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଗାଜିଆବାଦରେ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ତଥା ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ସଂଖ୍ୟାଲଘୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗାଜିଆବାଦରେ ହଜ୍‌ ହାଉସ୍‌ ନିର୍ମାଣ କରାଯାଉଥିଲା। କିନ୍ତୁ ବର୍ତ୍ତମାନର ଭାଜପା ସରକାର କୈଳାସ ମାନସରୋବର ଭବନ ନିର୍ମାଣ କରିଛନ୍ତି। ଏଠାରେ ଯୋଗୀ ଇନ୍ଦିରାପୁରମ୍‌ରେ ମାନସରୋବର ଭବନ କଥା କହିଛନ୍ତି, ଯାହାକି କୈଳାସ ମାନସରୋବର ଯାତ୍ରା କରୁଥିବା କାଉଡ଼ିଆମାନଙ୍କ ପାଇଁ ନିର୍ମାଣ କରାଯାଇଛି। ଅନ୍ୟପକ୍ଷେ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଥିବାବେଳେ ୨୦୧୬ରେ ହଜ୍‌ ହାଉସ୍‌ ନିର୍ମାଣ କରିଥିଲେ। ୭ ମହଲା ବିଶିଷ୍ଟ ଆଲା ହଜ୍‌ରତ୍‌ ହଜ୍‌ ହାଉସ୍‌ରେ ପ୍ରତିବର୍ଷ ମାସେରୁ ଦୁଇମାସ ପାଇଁ ୮,୦୦୦ରୁ ୧୦,୦୦୦ ଲୋକ ରହିପାରିବା ଭଳି ସୁବିଧା କରାଯାଇଛି। ବର୍ଷର ଅବଶିଷ୍ଟ ସମୟରେ ସେଠାରେ କୋଚିଂ କ୍ଲାସ୍‌ ଚାଲିଥାଏ।
ଯୋଗୀ ପୂର୍ବରୁ ମଧ୍ୟ ଅଖିଳେଶଙ୍କୁ ଏପରି ଟାର୍ଗେଟ କରିସାରିଛନ୍ତି। ଗତ ନଭେମ୍ବରରେ ଯୋଗୀ ଅଯୋଧ୍ୟାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଥିଲେ, ଆଗେ ଲୋକଙ୍କ ଅର୍ଥକୁ ସମାଧି ନିର୍ମାଣ ପାଇଁ ଖର୍ଚ୍ଚ କରାଯାଉଥିଲା। କିନ୍ତୁ ବର୍ତ୍ତମାନର ସରକାର ମନ୍ଦିରଗୁଡ଼ିକର ଉନ୍ନତୀକରଣ ପାଇଁ ପାଣ୍ଠି ବିନିଯୋଗ କରୁଛନ୍ତି। ଏହାର ମାସକ ପରେ ମୁସଲମାନ ସମୁଦାୟକୁ ଟାର୍ଗେଟ କରି ଯୋଗୀ କହିଥିଲେ ସମାଜବାଦୀ ପାର୍ଟିକୁ ଅବ୍ବାଜାନ (ବାପା) କହୁଥିବା ଲୋକେ ସବୁ ରାଶନ ଖାଇଯାଉଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତୁଷ୍ଟୀକରଣ ରାଜନୀତିର କୌଣସି ସ୍ଥାନ ନାହିଁ।

Share