ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ରହିଛି। ସେଥିମଧ୍ୟରୁ ଯୋଗୀମଠ ଜଳପ୍ରପାତ ଅନ୍ୟତମ। ତେବେ ଯୋଗୀମଠ ଜଳପ୍ରପାତରେ ପହଞ୍ଚିବା ପାଇଁ ସବୁଦିନିଆ ପକ୍କା ରାସ୍ତା ନ ଥିବାବେଳେ ସାମଜିକ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ପ୍ରାୟ ସେଠାରେ ହେଉନାହିଁ। ଏତେ ସୁନ୍ଦର ପରିବେଶ ମଧ୍ୟରେ ରହିଥିବା ଉକ୍ତ ଯୋଗୀମଠ ଐତିହ୍ୟ ଓ ପାରମ୍ପରିକ ଲୋକ କଥା ରହିଛି। କୁହାଯାଏ, ଉକ୍ତ ଜଳପ୍ରପାତରେ ପୂର୍ବଜମାନେ ଜପତପ କରି ମନ ଓ ଶରୀରକୁ ସୁସ୍ଥ ରଖୁଥିଲେ। ଯୋଗୀମଠ ଜଳପ୍ରପାତରେ ବିଶାଳ ପଥର ଖଣ୍ଡ ଖଣ୍ଡ ତଥା ଥାକଥାକ ହୋଇ ସଜେଇଲା ଭଳି ରହିଛି ଏବଂ ପ୍ରାୟ ୪୦ ଫୁଟ ଉଚ୍ଚତାରୁ ଜଳ ପଡୁଛି ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ୪ ପଟେ ପାହାଡ଼ ସହ ଘଞ୍ଚ ଜଙ୍ଗଲ ଘେରି ରହିଛି। ସେହି ସ୍ଥାନରେ ଅଧିକ ଥଣ୍ଡା ଅନୁଭୂତ ହେବା ସହ ଶାନ୍ତ ପରିବେଶ ଏକ ଅନନ୍ୟ ଅନୁଭୂତି ଯୋଗାଉଛି। ଯୋଗୀମଠକୁ ନେଇ ଗବେଷକମାନେ ଗବେଷଣା କରୁଥିବା ମଧ୍ୟ କୁହାଯାଉଛି।
ପ୍ରକାଶ ଯେ, ଯୋଗୀମଠ ଜଳପ୍ରପାତକୁ ଯିବାକୁ ହେଲେ ଦାରିଙ୍ଗବାଡ଼ି ବ୍ଲକ ହେଡ୍ କ୍ୱାର୍ଟରଠାରୁ ସରାମୁଳି ପଞ୍ଚାୟତକୁ ପ୍ରାୟ ୫୦ କିମି ଯିବାକୁ ପଡ଼ିବ। ସେଠାରୁ ପ୍ରାୟ ୧୦ କିମି ଦୂର ଯିବା ପରେ ଯୋଗୀମଠ ଜଳପ୍ରପାତରେ ପହଞ୍ଚିବେ। ତେବେ ସବୁଦିନିଆ ରାସ୍ତା ନ ଥିବାରୁ ପର୍ଯ୍ୟଟକ ସେଠାକୁ ଯିବାକୁ ମଙ୍ଗୁ ନାହାନ୍ତି ଚଳିତ ବର୍ଷ ସେଠାରେ ପହଞ୍ଚିବା ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ସହ ପାହାଚ କରାଯାଉଛି। ଏକ ସଂଯୋଗୀ ରାସ୍ତାରେ ନାଳ ବାଧକ ସାଜିଥିବାରୁ ସେଠାରେ ଦୀର୍ଘ କଲଭର୍ଟ ନିର୍ମାଣ କରାଯିବ ବୋଲି ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି।


