Categories: ଜାତୀୟ

ଯୋଗୀ: ସତ ବନାମ ମିଛ

ନୂଆଦିଲ୍ଲୀ/ଲକ୍ଷ୍ନୌ,୨୧ା୫: କରୋନା ଭୂତାଣୁ ବୁଧବାର ୨.୭୬ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଛି। ଏହାସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨.୫୭ କୋଟି ଅତିକ୍ରମ କରିଥିବା ଗୁରୁବାର ପୂର୍ବାହ୍ନ ୧୦ଟାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩,୮୭୪ ଜଣଙ୍କ ମୃତ୍ୟୁ ସହ ଦେଶରେ ମୋଟ କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟା ୨,୮୭,୧୨୨ରେ ପହଞ୍ଚତ୍ଥିବା ସରକାରୀ ବୁଲେଟିନ୍‌ କହୁଛି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ସଂକ୍ରମଣରେ ମହାରାଷ୍ଟ୍ର ସର୍ବାଗ୍ରେ ଥିବାବେଳେ ଏହା ତଳକୁ କର୍ନାଟକ, କେରଳ, ତାମିଲନାଡୁ ଓ ଉତ୍ତରପ୍ରଦେଶ (ୟୁପି) ରହିଛି। ନୂଆ ସଂକ୍ରମଣ ମାମଲା କ୍ଷେତ୍ରରେ ୫ ନମ୍ବର ସ୍ଥାନରେ ଥିବା ୟୁପିର ୬୪% ଗ୍ରାମ କରୋନାମୁକ୍ତ ହୋଇଥିବା ଯୋଗୀ ସରକାର ଦାବି କରିଛନ୍ତି।
ୟୁପି ସରକାରଙ୍କ ପକ୍ଷରୁ ବୁଧବାର ଜାରି ସ୍ବାସ୍ଥ୍ୟ ବୁଲେଟିନ୍‌ ଅନୁସାରେ ରାଜ୍ୟର ୬୪ ପ୍ରତିଶତ ଗ୍ରାମ ଏବେ କୋଭିଡ୍‌-୧୯ ମହାମାରୀରୁ ମୁକ୍ତ ହୋଇସାରିଛି। ଏଥିରେ ଦାବି କରାଯାଇଛି ଯେ, ପୂର୍ବ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ ୨,୯୭,୩୨୭ ନମୁନା ସଂଗ୍ରହ କରାଯାଇଥିଲା। ସେଥିରୁ ୭୩% ଟେଷ୍ଟ ଗ୍ରାମାଞ୍ଚଳରେ କରାଯାଇଥିଲା। ରାଜ୍ୟରେ ୭,୩୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଏହି ଅବଧି ମଧ୍ୟରେ ୨୮୨ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଦିନକ ମଧ୍ୟରେ ୧୯,୬୬୯ ରୋଗୀ ଆରୋଗ୍ୟ ଲାଭ କରିଥିବା ଏଥିରେ ଦର୍ଶାଇଛି। ଅନ୍ୟପକ୍ଷରେ ୟୁପିରେ ଉଭୟ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ସରକାରୀ ରିପୋର୍ଟଠାରୁ ଢେର ଅଧିକ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। କାରଣ ସଦ୍ୟ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ଦାୟିତ୍ୱରେ ନିୟୋଜିତ ଥିବା ୧,୬୦୦ ଶିକ୍ଷକ କୋଭିଡ୍‌-୧୯ କବଳରେ ଆସି ପ୍ରାଣ ହରାଇଥିବା ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଥିଲା। ଏହାକୁ ଯୋଗୀ ସରକାର ଖଣ୍ଡନ କରି ଜୀବନ ଯାଇଥିବା ଶିକ୍ଷକଙ୍କ ସଂଖ୍ୟା ମାତ୍ର ୩ ବୋଲି କହିଛନ୍ତି। ଅଧିକ ସଂଖ୍ୟକ କୋଭିଡ୍‌ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଚାହୁଁ ନ ଥିବା ରାଜ୍ୟ ସରକାର ମିଛ କହୁଥିବା ଶିକ୍ଷକ ସଂଘ ଦାବି କରିଛି। ପୂର୍ବରୁ ରାଜ୍ୟରେ ପର୍ଯ୍ୟାପ୍ତ ଅକ୍ସିଜେନ ଅଛି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦାବି କରୁଥିବାବେଳେ ହସ୍ପିଟାଲଗୁଡ଼ିକରେ ବହୁ ରୋଗୀ ଅମ୍ଳଜାନ ଅଭାବରୁ ପ୍ରାଣ ହରାଇଥିଲେ। ସେହିପରି କୋଭିଡ୍‌ ମୃତକଙ୍କ ଶବ ଗଙ୍ଗାନଦୀରେ ଭାସିବା ଓ ପୋତା ବାଲିରୁ ଉପରକୁ ଉଠିବା ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଥିଲା। ତେଣୁ ୟୁପିର ୬୪% ଗ୍ରାମ କରୋନାମୁକ୍ତ ହୋଇଥିବା ଦାବିକୁ ଅନେକେ ବିଶ୍ୱାସ କରିପାରୁ ନାହାନ୍ତି।

Share