ଲକ୍ଷ୍ନୌ,୧୭।୬: ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ପଢ଼ୁଥିବା ଛାତ୍ରୀମାନଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ଆସୁଛି। ରାଜ୍ୟର ପ୍ରାୟ ୫୦ ହଜାର ମେଧାବୀ ଛାତ୍ରୀଙ୍କୁ ‘ରାଣୀ ଲକ୍ଷ୍ମୀବାଈ ସ୍କୁଟି ଯୋଜନା’ ଅଧୀନରେ ମାଗଣା ସ୍କୁଟି ଦେବା ପାଇଁ ବଡ଼ ଘୋଷଣା କରିଛନ୍ତି ସରକାର। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କଡ଼ା ନିର୍ଦ୍ଦେଶ ପରେ ଉଚ୍ଚ ଶିକ୍ଷା ବିଭାଗ ଏହି ଯୋଜନାର ସମ୍ପୂର୍ଣ୍ଣ ପ୍ରସ୍ତାବ ପ୍ରସ୍ତୁତ କରି ସାରିଛି। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟର ପ୍ରତିଭାବାନ ଝିଅମାନଙ୍କୁ ଆଗକୁ ପାଠ ପଢ଼ିବା ପାଇଁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କର ପଥକୁ ସହଜ କରିବା। ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଛାତ୍ରୀମାନଙ୍କର ଅଂଶଗ୍ରହଣ ଏବଂ ମନୋବଳ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ଉଚ୍ଚ ଶିକ୍ଷା ବିଭାଗ ଏହି ଯୋଜନାର ଲାଭ ଦେବା ପାଇଁ କିଛି ଜରୁରୀ ନିୟମ ଓ ସର୍ତ୍ତ ସ୍ଥିର କରିଛି। ଏହି ଯୋଜନାରେ କେବଳ ସେହି ଛାତ୍ରୀମାନଙ୍କୁ ସାମିଲ କରାଯିବ, ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ୧୦ ରୁ ୧୨ ଲକ୍ଷ ଟଙ୍କାରୁ କମ ହୋଇଥିବ। ଏହା ସହିତ ଯୋଗ୍ୟତା ପରଖିବା ପାଇଁ ମାର୍କର ଏକ ସୀମା ମଧ୍ୟ ର୍ନିଦ୍ଧାରଣ କରାଯାଇଛି। ଉଚ୍ଚ ଶିକ୍ଷା ମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟଙ୍କ ସୂଚନା ଅନୁଯାୟୀ, ଗ୍ରାଜୁଏସନ (ସ୍ନାତକ) ପ୍ରଥମ ବର୍ଷରେ ୮୦ ପ୍ରତିଶତ କିମ୍ୱା ତା’ଠାରୁ ଅଧିକ ମାର୍କ ରଖିଥିବା ଛାତ୍ରୀମାନଙ୍କୁ ହିଁ ଏହି ଯୋଜନାର ଯୋଗ୍ୟ ବିବେଚିତ କରାଯିବ। ଏହି ସମ୍ୱନ୍ଧରେ ବିଭାଗ ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରୁ ୮୦, ୮୫ ଏବଂ ୯୦ ପ୍ରତିଶତରୁ ଅଧିକ ନମ୍ୱର ହାସଲ କରିଥିବା ପ୍ରଥମ ବର୍ଷର ଛାତ୍ରୀମାନଙ୍କର ସମ୍ପୂର୍ଣ୍ଣ ଡାଟା ମଧ୍ୟ ସଂଗ୍ରହ କରିସାରିଛି।
ଏହି ଯୋଜନା ଅଧୀନରେ ଛାତ୍ରୀମାନଙ୍କୁ ପେଟ୍ରୋଲ ଚାଳିତ ସ୍କୁଟି ପ୍ରଦାନ କରାଯିବ। ଉଚ୍ଚ ଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସ୍କୁଟି ବଣ୍ଟନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସୱଚ୍ଛ ଏବଂ ବ୍ୟବସ୍ଥିତ କରିବା ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ ବା ଗାଇଡଲାଇନ ପ୍ରସ୍ତୁତ କରାଯାଉଛି। ଏହି ଗାଇଡଲାଇନ ଚୂଡ଼ାନ୍ତ ହେବା ମାତ୍ରେ ସ୍କୁଟି ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ସରକାରଙ୍କ ବିଶ୍ୱାସ ଯେ, ପେଟ୍ରୋଲ ସ୍କୁଟି ମିଳିବା ଦ୍ୱାରା ଛାତ୍ରୀମାନଙ୍କୁ କଲେଜ ଯାତାୟାତରେ ସୁବିଧା ହେବ ଏବଂ ସେମାନେ କୌଣସି ପରିବହନ ସମସ୍ୟା ବିନା ନିଜର ପାଠପଢ଼ା ଜାରି ରଖିପାରିବେ। ଡାଟା ଆଧାରରେ ଖୁବଶୀଘ୍ର ଯୋଗ୍ୟ ଛାତ୍ରୀମାନଙ୍କର ଚୂଡ଼ାନ୍ତ ତାଲିକା (Final List) ପ୍ରକାଶ ପାଇବ।