ଲକ୍ଷ୍ନୌ,୬।୧୧: ଉତ୍ତରପ୍ରଦେଶରେ ଚାଷୀଙ୍କ ପାଇଁ ବଡ଼ ଖବର । ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟରେ ଜୀବନ ହରାଉଥିବା ଲୋକଙ୍କ ପରିବାରକୁ ମଧ୍ୟ ମିଳିବ ଅଧିକ ଆର୍ଥିକ ସହାୟତା। ଯୋଗୀ ଆଦିତ୍ୟନାଥ ସରକାର ବିପର୍ଯ୍ୟୟ ରିଲିଫ୍ ସହାୟତା ରାଶିରେ ବଡ଼ ପରିବର୍ତ୍ତନ କରିଛନ୍ତି। ଏଣିକି ପ୍ରାକୃତିକ ବିପର୍ଯ୍ୟୟରେ କାହାର ମୃତ୍ୟୁ ହେଲେ, ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ବଦଳରେ ୮ ଲକ୍ଷ ଟଙ୍କା ସହାୟତା ମିଳିବ।
ଫସଲ କ୍ଷତି ପାଇଁ ମିଳୁଥିବା କ୍ଷତିପୂରଣ ରାଶିକୁ ମଧ୍ୟ ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଯାଇଛି। ଏହାଦ୍ୱାରା ରାଜ୍ୟର ୧୦ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ। ୨୦୨୬ ଏପ୍ରିଲ୍ ୧ରୁ ନଭେମ୍ବର ୪ ମଧ୍ୟରେ ହୋଇଥିବା କ୍ଷୟକ୍ଷତି ପାଇଁ ଏହି ବର୍ଦ୍ଧିତ ସହାୟତା ଲାଗୁ ହେବ। ରାଜ୍ୟ ବିପର୍ଯ୍ୟୟ ମୋଚନ ପାଣ୍ଠି (SDRF) ଏବଂ ଜାତୀୟ ବିପର୍ଯ୍ୟୟ ମୋଚନ ପାଣ୍ଠି (NDRF) ଅଧୀନରେ ସହାୟତା ରାଶିର ନୂଆ ମାନଦଣ୍ଡ ଲାଗୁ କରାଯାଇଛି।
ବିପର୍ଯ୍ୟୟରେ ବଡ଼ ପଶୁଙ୍କ ମୃତ୍ୟୁ ହେଲେ ପୂର୍ବରୁ ୪୦ ହଜାର ଟଙ୍କା ମିଳୁଥିବାବେଳେ ଏବେ ୫୦ ହଜାର ଟଙ୍କା ମିଳିବ। ସେହିପରି ଛେଳି, ମେଣ୍ଢା ଓ ଘୁଷୁରି ଭଳି ଛୋଟ ପଶୁଙ୍କ ମୃତ୍ୟୁ ପାଇଁ ସହାୟତା ରାଶି ୪ ହଜାରରୁ ବଢ଼ାଇ ୫,୫୦୦ ଟଙ୍କା କରାଯାଇଛି। ଘୋଡ଼ା ଓ ଖଚର ଭଳି ଭାରବାହୀ ପଶୁଙ୍କ ମୃତ୍ୟୁ ପାଇଁ ୨୦ ହଜାର ବଦଳରେ ୨୫,୪୦୦ ଟଙ୍କା ମିଳିବ । କୁକୁଡ଼ା ଚାଷୀଙ୍କୁ ପ୍ରତି କୁକୁଡ଼ା ପିଛା ୧୦୦ ଟଙ୍କା ବଦଳରେ ୧୩୦ ଟଙ୍କା ସହାୟତା ଦିଆଯିବ।
ଜଳସେଚିତ ଜମି: ହେକ୍ଟର ପିଛା ୧୭ ହଜାରରୁ ବଢ଼ି ୨୨ ହଜାର ଟଙ୍କା।
ବର୍ଷା ଉପରେ ନିର୍ଭରଶୀଳ ଜମି: ହେକ୍ଟର ପିଛା ୮,୫୦୦ରୁ ବଢ଼ି ୧୧ ହଜାର ଟଙ୍କା।
ବାର୍ଷିକ ଫସଲ ଓ କୃଷି ବନୀକରଣ: ହେକ୍ଟର ପିଛା ୨୨,୫୦୦ରୁ ବଢ଼ି ୩୦ ହଜାର ଟଙ୍କା।
ରେଶମ ଉତ୍ପାଦନରେ କ୍ଷତି ହେଲେ ମିଳୁଥିବା ସହାୟତା ରାଶିରେ ମଧ୍ୟ ବୃଦ୍ଧି କରାଯାଇଛି। ଏରି, ତୁତ ଓ ଟସର ରେଶମ ଉତ୍ପାଦନରେ କ୍ଷତି ପାଇଁ ହେକ୍ଟର ପିଛା ୬ ହଜାରରୁ ବଢ଼ି ୭,୮୦୦ ଟଙ୍କା ମିଳିବ। ମୁଗା ରେଶମ ଉତ୍ପାଦନରେ କ୍ଷତି ପାଇଁ ୭,୫୦୦ରୁ ବଢ଼ି ୯,୮୦୦ ଟଙ୍କା ସହାୟତା ମିଳିବ। ଚାଷ ଜମିରୁ ପଟୁ ମାଟି ହଟାଇବା ପାଇଁ ହେକ୍ଟର ପିଛା ସହାୟତା ୧୮ ହଜାରରୁ ବଢ଼ାଇ ୨୩ ହଜାର ଟଙ୍କା କରାଯାଇଛି। ଭୂସ୍ଖଳନ ଓ ହିମସ୍ଖଳନ ଯୋଗୁଁ ଜମି କ୍ଷତିଗ୍ରସ୍ତ ହେଲେ ହେକ୍ଟର ପିଛା ୪୭ ହଜାର ବଦଳରେ ୬୦ ହଜାର ଟଙ୍କା ମିଳିବ ।