ଦିଗପହଣ୍ଡି,୨୦|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ପରିସରରେ ଜାତୀୟ ସେବା ଯୋଜନା ୟୁନିଟ, ରେଡକ୍ରସ୍ ଏବଂ ଭାରତ ସ୍କାଉଟ ଏବଂ ଗାଇଡ ଶାଖା ପକ୍ଷରୁ ରବିବାର ହେବାକୁ ଥିବା “ଆନ୍ତର୍ଜାତୀୟ ଯୋଗ ଦିବସ” ଅବ୍ୟବହିତ ପୂର୍ବରୁ ଶନିବାର ଯୋଗ ଶିବିର ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସ୍ଥିତ ଡେକାନ କଲେଜ ଶାରୀରିକ ଶିକ୍ଷା ପ୍ରଶିକ୍ଷକ ମହାଦେବ ରଥ ଯୋଗଦେଇ ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କୁ ଯୋଗ ଓ ପ୍ରାଣାୟାମ ର ମହତ୍ତ୍ଵ ସମ୍ପର୍କରେ ଉଦବୋଧନ ଦେଇଥିଲେ। ଯୋଗ,ପ୍ରାଣାୟାମ ଜୀବାତ୍ମାକୁ ପରମାତ୍ମାଙ୍କ ସହ ଯୋଗ କରିଥାଏ। ଯୋଗ ପ୍ରାଣାୟାମ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟକୁ ସୁସ୍ଥ ଓ ସୁସଂଯତ ରଖିବାରେ ମୁଖ୍ୟ ଭୂମିକା ନେଇଥାଏ ବୋଲି ସେ କହିଥିଲେ। ଛାତ୍ରୀଛାତ୍ର,ଅଧ୍ୟାପିକା ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ମାନଙ୍କୁ ସେ ବିଭିନ୍ନ ଯୋଗ,ଆସନ, ପ୍ରାଣାୟମ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ଇତିପ୍ରଭା , ଭାରତ ସ୍କାଉଟ ଏବଂ ଗାଇଡ୍ ପ୍ରଶିକ୍ଷିକା ଅଧ୍ୟାପିକା କୁମାରୀ ପ୍ରିୟଦର୍ଶିନୀ ପ୍ରଧାନ, ପ୍ରଶିକ୍ଷକ ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା, ଯୁବ ରେଡକ୍ରସ୍ ଉପଦେଷ୍ଟା ଅଧ୍ୟାପକ ରଞ୍ଜନ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।