ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର ସୁରକ୍ଷା ଓ ଭିତ୍ତିଭୂମିକୁ ନେଇ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ଦେବୋତ୍ତର ବିଭାଗ ଅଧୀନରେ ପରିଚାଳିତ ଏହି ପୀଠରେ କୋଟି କୋଟି ଟଙ୍କାର ସରକାରୀ ଅନୁଦାନରେ ନୂତନ ମନ୍ଦିର ନିର୍ମାଣ ସହ ମନ୍ଦିର ପରିସରର ନବୀକରଣ ଓ ସୌନ୍ଦର୍ଯ୍ୟକରଣ, ଲାଇଟ୍, ସିସିଟିଭି କ୍ୟାମେରା, ଗେଟ୍ ଓ ସୀମା ପ୍ରାଚୀର ନିର୍ମାଣ କରାଯାଇଥିଲା। ତେବେ କାର୍ଯ୍ୟ ଶେଷ ହେବାର ବର୍ଷେ ନ ପୂରୁଣୁ ଏବଂ ବିଦ୍ୟୁତ୍-ସୁରକ୍ଷା ଉପକରଣ ସ୍ଥାପନର ମାତ୍ର ୬ ମାସ ମଧ୍ୟରେ ବିଭିନ୍ନ ତ୍ରୁଟି ଓ ଅବ୍ୟବସ୍ଥା ସାମ୍ନାକୁ ଆସିଥିବା ଅଭିଯୋଗ ହୋଇଛି।
ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସୀମା ପ୍ରାଚୀରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ଭାଙ୍ଗିବା ସହ ଭୁଶୁଡ଼ିବା ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି। ପ୍ରାଚୀର ଓ ମୁଖ୍ୟ ଫାଟକରେ ଲଗାଯାଇଥିବା ସୌନ୍ଦର୍ଯ୍ୟବର୍ଦ୍ଧକ ଲାଇଟ୍ଗୁଡ଼ିକ ମଧ୍ୟ ଭାଙ୍ଗି ଓଲଟି ପଡ଼ିଛି। ଏହାସହ ମନ୍ଦିର ଚାରିପାଖ ଓ ବିଦ୍ୟୁତ୍ ଖୁଣ୍ଟରେ ସ୍ଥାପିତ ଅନେକ ସିସିଟିଭି କ୍ୟାମେରା ଅଚଳ ହୋଇପଡ଼ିଥିବା ଦେଖାଯାଇଛି।
ମା’ଙ୍କ ପୀଠର ମୁଖ୍ୟ ସୂଚନା ଫଳକ ମଧ୍ୟ ଉପେକ୍ଷିତ ଅବସ୍ଥାରେ ଗଛ ମୂଳେ ଅଳିଆ ଭିତରେ ଭଙ୍ଗା ଅବସ୍ଥାରେ ପଡ଼ିରହିଛି। ଅନ୍ୟପଟେ ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଉପକରଣ ଓ ମନିଟରିଂ ବ୍ୟବସ୍ଥା ଥିବା କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଅପରିଷ୍କାର ଅବସ୍ଥାରେ ରହିଛି। ଘର ଭିତରେ କାର୍ଟନ୍, ପ୍ଲାଷ୍ଟିକ୍ ବୋତଲ ଓ ଅଳିଆ ଆବର୍ଜନା ଭରି ରହିଛି। ଧୂଳି ଓ ମଇଳା ଜମିବା ଯୋଗୁ ସେଠାରେ ଥିବା ଏଲ୍ଇଡି ସ୍କ୍ରିନ୍ ସହ ଅନ୍ୟାନ୍ୟ ଯନ୍ତ୍ରାଂଶ ଶୀଘ୍ର ଅଚଳ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଖୋଲାମେଲାରେ ମୂଲ୍ୟବାନ ୟୁପିଏସ୍ ଓ ବ୍ୟାଟେରୀଗୁଡ଼ିକ ପଡ଼ି ଧୂଳିବାଲି ଖାଉଥିବା ବେଳେ ଛାତର ସିଲିଂ ଫ୍ରେମ୍ ଖୋଲିଯାଇ ବୈଦ୍ୟୁତିକ ତାରଗୁଡ଼ିକ ମୁକୁଳା ଭାବେ ଝୁଲୁଛି। ଅପରପକ୍ଷେ, ଜରୁରୀକାଳୀନ ବିଦ୍ୟୁତ୍ ବିଭ୍ରାଟ ସମୟ ପାଇଁ ମନ୍ଦିରରେ କୌଣସି ଜେନେରେଟର ବ୍ୟାକ୍ଅପ୍ ବ୍ୟବସ୍ଥା ନ ଥିବା ମଧ୍ୟ ଅଭିଯୋଗ ହୋଇଛି।
ମନ୍ଦିରର ନିଜସ୍ୱ ଜମି ଥିଲେ ମଧ୍ୟ ଏଯାଏ ବେଆଇନ ଜବରଦଖଲ ଉଚ୍ଛେଦ ହୋଇପାରିନାହିଁ। ମନ୍ଦିର ପାର୍ଶ୍ୱରେ ଏବଂ ମୁଖ୍ୟ ଫାଟକ ସମ୍ମୁଖରେ ଅନେକ ବ୍ୟବସାୟୀ ଦୋକାନବଜାର ଓ ପସରା ମେଲାଇ ବସିଥିବାରୁ ଭକ୍ତମାନଙ୍କ ଯାତାୟାତରେ ଅସୁବିଧା ହେବା ସହ ମନ୍ଦିରର ପରିବେଶ ପ୍ରଭାବିତ ହେଉଥିବା କୁହାଯାଇଛି।
ଆସନ୍ତା ଅକ୍ଟୋବର ୧ ତାରିଖରେ ବାବା ଭୈରବ ଦେବଙ୍କ ପ୍ରସିଦ୍ଧ ବାଲିଯାତ୍ରା ଏବଂ ୧୧ ତାରିଖରୁ ମା’ ମାଣିକେଶ୍ୱରୀଙ୍କ ଶାରଦୀୟ ଦଶହରା ଓ ନବରାତ୍ରି ପୂଜା ଆରମ୍ଭ ହେବାକୁ ଯାଉଛି। ଏହି ପର୍ବପର୍ବାଣି ସମୟରେ ମା’ ମାଣିକେଶ୍ୱରୀ ଓ ବାବା ଭୈରବ ଦେବଙ୍କୁ ଦେବୋତ୍ତର ବିଭାଗ ପକ୍ଷରୁ ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଲାଗି କରାଯାଇଥାଏ। ଏହାସହ ଅଞ୍ଚଳରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ।
ଏଭଳି ସମ୍ବେଦନଶୀଳ ସମୟରେ ମନ୍ଦିରର ସୁରକ୍ଷା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ଅଚଳ ସିସିଟିଭି କ୍ୟାମେରା ଓ ଲାଇଟ୍ଗୁଡ଼ିକର ତୁରନ୍ତ ମରାମତି, ସ୍ଥାୟୀ ଜେନେରେଟର ବ୍ୟବସ୍ଥା, ନିର୍ମାଣକାରୀ ଠିକା ସଂସ୍ଥାର କାର୍ଯ୍ୟର ତଦନ୍ତ ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଏବଂ ମନ୍ଦିର ଜମିକୁ ଜବରଦଖଲମୁକ୍ତ କରିବାକୁ ଆଞ୍ଚଳିକ ବୁଦ୍ଧିଜୀବୀ, ସ୍ଥାନୀୟ ଜନସାଧାରଣ ଓ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି। ଏଥିପାଇଁ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଆବଶ୍ୟକ ବୋଲି ସେମାନେ କହିଛନ୍ତି।