ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଏବଂ ଶ୍ରୀଲଙ୍କା ଦ୍ରୁତ ବୋଲର ଅସିଥା ଫର୍ନାଣ୍ଡୋଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଧକ୍କାମୁକ୍କି ଭଳିି ପରିସ୍ଥିତି ସୃଷ୍ଟି ହୋଇଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାରତୀୟ ଇନିଂସର ୧୭ତମ ଓଭରରେ ଏହି ଘଟଣା ଘଟିଥିଲା। ଅସିଥା ଫର୍ନାଣ୍ଡୋଙ୍କ ଏହି ଓଭରରେ ଯଶସ୍ବୀ ଟି-୨୦ ଭଳି ୩ଟି ଆକର୍ଷଣୀୟ ଚୌକା ମାରି ଅର୍ଦ୍ଧଶତକ ଆଡ଼କୁ ବଢ଼ୁଥିଲେ। ତେବେ ଓଭରର ଶେଷ ବଲ୍‌ରେ ଅସିଥା ଏଭଳି ବୋଲିଂ କରିଥିଲେ, ଯାହା ଜୟସ୍ବାଲଙ୍କ ବ୍ୟାଟ୍‌ରେ ବାଜି ସିଧା ଉଇକେଟରେ ବାଜିଥିଲା।

ଉଇକେଟ ନେବା ପରେ ଅସିଥା ଖୁସି ମନାଇବା ସହ ଆଉଟ ହୋଇ ଫେରୁଥିବା ଜୟସ୍ବାଲଙ୍କୁ କିଛି ମନ୍ତବ୍ୟ ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଜୟସ୍ବାଲ ପଛକୁ ଫେରି ଅସିଥାଙ୍କ ସାମ୍ନାସାମ୍ନି ହୋଇଥିଲେ। ଦୁହିଁଙ୍କ ମଧ୍ୟରେ କଥା କଟାକଟି ହେବା ସହ ପରସ୍ପରକୁ ଧକ୍କା ମାରିବାକୁ ଚେଷ୍ଟା କରାଯାଇଥିଲା। ପରେ ଶ୍ରୀଲଙ୍କା କ୍ୟାପଟେନ ଏବଂ ଅନ୍ୟ ଖେଳାଳିମାନେ ମଝିରେ ପଶି ଦୁହିଁଙ୍କୁ ଅଲଗା କରିଥିଲେ।

ଆଉଟ ହେବା ପୂର୍ବରୁ ଜୟସ୍ବାଲ ୫୩ ବଲ୍‌ରୁ ୯ଟି ଚୌକା ସହାୟତାରେ ୪୫ ରନ୍‌ର ଇନିଂସ ଖେଳିଥିଲେ। ପ୍ରଥମ ଟେଷ୍ଟର ଦୁଇଟିଯାକ ଇନିଂସରେ ବିଫଳ ହୋଇଥିବାରୁ ଏହି ମ୍ୟାଚ୍‌ରେ ତାଙ୍କ ଉପରେ ଭଲ ପ୍ରଦର୍ଶନ କରିବାର ଚାପ ରହିଥିଲା।

ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍କୁ ଭାରତ ୧୬୫ ରନ୍‌ରେ ଜିତି ସାରିଛି। କଲମ୍ବୋରେ ଖେଳାଯାଉଥିବା ଏହି ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଇନଫେକ୍ସନ କାରଣରୁ କୁଲଦୀପ ଯାଦବ ଏହି ମ୍ୟାଚ୍‌ରୁ ବାଦ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ସାରାଂଶ ଜୈନଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଛି।

Dharitri – Odisha’s No.1 Odia Daily

Share