ନୂଆଦିଲ୍ଲୀ,୭।୧୧:ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନର ଯଶସ୍ବୀ ଜୟସ୍ବାଲଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଛି ଦମ୍ଦାର ଶତକ। ଲଗାତାର ଦ୍ୱିତୀୟ ଅନଅଫିସିଆଲ ଟେଷ୍ଟ ମ୍ୟାଚ୍ରେ ଶତକ ହାସଲ କରି ନିଜ ଫର୍ମକୁ ଫେରିବାର ସଙ୍କେତ ଦେଇଛନ୍ତି ସେ। ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ତୃତୀୟ ଅନଅଫିସିଆଲ ଟେଷ୍ଟର ପ୍ରଥମ ଇନିଂସରେ ୧୦୨ ରନ୍ର ଆକର୍ଷଣୀୟ ପାଳି ଖେଳିଛନ୍ତି ଯଶସ୍ବୀ।
ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି। ଟି-୨୦ ସିରିଜ ପରେ ଦୁଇ ଦଳ ମଧ୍ୟରେ ଦିନିକିଆ ସିରିଜ ଖେଳାଯାଉଛି। ଏହା ପରେ ନଭେମ୍ବର ୧୯ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ପ୍ରସ୍ତୁତି ସ୍ବରୂପ ଭାରତୀୟ ଟେଷ୍ଟ ଦଳର ଅନେକ ଖେଳାଳି ଆଗୁଆ ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ସେମାନେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଅନଅଫିସିଆଲ ଟେଷ୍ଟ ସିରିଜ ଖେଳୁଛନ୍ତି। ନଭେମ୍ବର ୭ରୁ ଲିଙ୍କନର ବର୍ଟ ସଟକ୍ଲିଫ ଓଭାଲ୍ରେ ତୃତୀୟ ମ୍ୟାଚ ଆରମ୍ଭ ହୋଇଛି। ଟସ ଜିତି ନ୍ୟୁଜିଲାଣ୍ଡ ଏ’ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଇଣ୍ଡିଆ ଏ’ ପାଇଁ ଯଶସ୍ବୀ ଶତକୀୟ ଇନିଂସ ଖେଳିଥିଲେ।
ଏହି ଅନଅଫିସିଆଲ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଯଶସ୍ବୀ ବଡ଼ ଇନିଂସ ଖେଳିପାରି ନଥିଲେ। ଦ୍ୱିତୀୟ ମ୍ୟାଚ୍ର ପ୍ରଥମ ଇନିଂସରେ ମଧ୍ୟ ସେ ନିରାଶ କରିଥିଲେ। ତେବେ ଦ୍ୱିତୀୟ ମ୍ୟାଚ୍ର ଦ୍ୱିତୀୟ ଇନିଂସରେ ୧୫୫ ରନ୍ର ଶତକୀୟ ପାଳି ଖେଳି ଫର୍ମକୁ ଫେରିଥିଲେ। ଏବେ ତୃତୀୟ ମ୍ୟାଚ୍ର ପ୍ରଥମ ଇନିଂସରେ ମଧ୍ୟ ନିଜ ଦମ୍ଦାର ବ୍ୟାଟିଂ ଜାରି ରଖିଛନ୍ତି ଯଶସ୍ବୀ। ସେ ୧୩୮ଟି ବଲ୍ର ୧୬ଟି ଚୌକା ଓ ୨ଟି ଛକା ସହ ୧୦୨ ରନ କରି ଆଉଟ ହୋଇଥିଲେ। ତାଙ୍କ ଏହି ଇନିଂସ ଭାରତୀୟ ଦଳ ପାଇଁ ଆଗାମୀ ଟେଷ୍ଟ ସିରିଜ ପୂର୍ବରୁ ଏକ ଭଲ ସଙ୍କେତ। ଯଶସ୍ବୀ ଓ ସାଇ ସୁଦର୍ଶନ ଇଣ୍ଡିଆ ଏ’କୁ ଦମ୍ଦାର ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଉଇକେଟ ପାଇଁ ୧୭୫ ରନ୍ର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରି କରିଥିଲେ।
ଅନ୍ୟପଟେ ଭାରତୀୟ ଦଳର ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ପାଇଁ ଦଳରେ ସାମିଲ ଅଛନ୍ତି। ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ତୃତୀୟ ଅନଅଫିସିଆଲ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ମଧ୍ୟ ସ୍ଥାନ ପାଇଛନ୍ତି।
ଫିଟ୍ନେସ ସମସ୍ୟା ଯୋଗୁ ଦୀର୍ଘ ସମୟ ଧରି ଟେଷ୍ଟ କ୍ରିକେଟରୁ ଦୂରେଇ ରହିଥିବା ବୁମ୍ରା ଏବେ ପୂର୍ଣ୍ଣ ଫିଟ ହୋଇ ପଡ଼ିଆକୁ ଫେରୁଛନ୍ତି। ତେଣୁ ଏହି ମ୍ୟାଚ୍ରେ ତାଙ୍କ ବୋଲିଂ, ଫିଟ୍ନେସ୍ ଓ ଫର୍ମ ଉପରେ ସମସ୍ତଙ୍କ ନଜର ରହିବ।