ଖ୍ରୀଷ୍ଟଚର୍ଚ୍ଚ, ୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍ର ଦ୍ୱିତୀୟ ମୁକାବିଲା ଆଜି ଖ୍ରୀଷ୍ଟଚର୍ଚ୍ଚର ହେଗଲି ଓଭାଲ୍ରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ପଡ଼ିଆକୁ ଓହ୍ଲାଇବା ମାତ୍ରେ ଭାରତୀୟ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ସେ ୩୨ ବର୍ଷ ପୁରୁଣା ଏକ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି।
ଖବର ଲେଖାଯିବା ସୁଦ୍ଧା ଜୟସ୍ବାଲ ଭାରତ ପାଇଁ ୩୪ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ତାଙ୍କର ଏହି ସମସ୍ତ ମ୍ୟାଚ ଭିନ୍ନ ଭିନ୍ନ ଷ୍ଟାଡିୟମରେ ଖେଳାଯାଇଛି। ଅର୍ଥାତ୍ ନିଜ ଟେଷ୍ଟ କ୍ୟାରିୟରରେ ଏଯାଏ ସେ କୌଣସି ଗୋଟିଏ ପଡ଼ିଆରେ ଦ୍ୱିତୀୟ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳିବାକୁ ଓହ୍ଲାଇ ନ ଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷରେ ଜୟସ୍ବାଲ ନିଜ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଦକ୍ଷିଣ ଆଫ୍ରିକା ମାଟିରେ ମଧ୍ୟ ଟେଷ୍ଟ ଖେଳିଥିଲେ। ଭାରତରେ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଥିଲା।
ପରବର୍ତ୍ତୀ ସମୟରେ ବାଂଲାଦେଶ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତରେ ଭିନ୍ନ ଭିନ୍ନ ଷ୍ଟାଡିୟମରେ ସେ ଖେଳିଥିଲେ। ଏହି ପାଞ୍ଚଟି ଦଳକୁ ଭାରତ ୧୪ଟି ଅଲଗା ଅଲଗା ଷ୍ଟାଡିୟମ୍ରେ ଆତିଥ୍ୟ ଦେଇଥିଲା। ସେହିପରି ୨୦୨୪-୨୫ ଓ ୨୦୨୫ରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଗସ୍ତରେ ମଧ୍ୟ ସେ ପାଞ୍ଚଟି ଲେଖାଏ ଟେଷ୍ଟ ମ୍ୟାଚ ଖେଳିଥିଲେ।
ଏହି ମାମଲାରେ ଜୟସ୍ବାଲ ଭାରତର ପୂର୍ବତନ ବ୍ୟାଟର ସଞ୍ଜୟ ମାଞ୍ଜରେକରଙ୍କ ୩୨ ବର୍ଷ ପୁରୁଣା ରେକର୍ଡର ସମକକ୍ଷ ହୋଇଛନ୍ତି। ମାଞ୍ଜରେକର ୧୯୯୪ ପର୍ଯ୍ୟନ୍ତ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ୩୩ଟି ମ୍ୟାଚ ଭିନ୍ନ ଭିନ୍ନ ଷ୍ଟାଡିୟମରେ ଖେଳିଥିଲେ। ତାଙ୍କର ୩୪ତମ ଟେଷ୍ଟ ମ୍ୟାଚ ବେଙ୍ଗାଲୁରୁରେ ଥିଲା। ସେଠାରେ ସେ ପ୍ରଥମ ଥର ପାଇଁ କୌଣସି ଗୋଟିଏ ପଡ଼ିଆରେ ଦ୍ୱିତୀୟ ଟେଷ୍ଟ ଖେଳିଥିଲେ।
ଏହି ରେକର୍ଡ ମାମଲାରେ ଜୟସ୍ବାଲ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇଛନ୍ତି। ସଚିନ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ୩୨ଟି ମ୍ୟାଚ ଭିନ୍ନ ଭିନ୍ନ ଷ୍ଟାଡିୟମରେ ଖେଳିଥିଲେ। ୧୯୯୪ରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ସେ ପ୍ରଥମ ଥର ପାଇଁ ପୂର୍ବରୁ ଖେଳିଥିବା ଏକ ପଡ଼ିଆରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିଥିଲେ।
ଟେଷ୍ଟ ଡେବ୍ୟୁ ପରେ ସର୍ବାଧିକ ଭିନ୍ନ ଭିନ୍ନ ଷ୍ଟାଡିୟମରେ ଖେଳିଥିବା ଖେଳାଳି
– ୩୩ ମ୍ୟାଚ ସଞ୍ଜୟ ମାଞ୍ଜରେକର (ଭାରତ)
– ୩୩ ମ୍ୟାଚ ଯଶସ୍ବୀ ଜୟସ୍ବାଲ (ଭାରତ)
– ୩୨ ମ୍ୟାଚ ସଚିନ ତେନ୍ଦୁଲକର (ଭାରତ)
– ୨୪ ମ୍ୟାଚ ଜଭଗଲ ଶ୍ରୀନାଥ (ଭାରତ)
– ୨୪ ମ୍ୟାଚ ଦିନେଶ ରାମଦିନ (ୱେଷ୍ଟଇଣ୍ଡିଜ)