୨୬ରେ ଆସୁଛି ‘ୟାସ୍‌’

ଭୁବନେଶ୍ୱର, ୨୧ା୫(ବ୍ୟୁରୋ): ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ‘ୟାସ୍‌’କୁ ନେଇ ପଶିଲାଣି ଛନକା। ଆସନ୍ତା ୨୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଧୀରେ ଧୀରେ ଘନୀଭୂତ ହୋଇ ୨୪ ତାରିଖରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ରେ ପରିଣତ ହେବ। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ଦେଇ ଆସନ୍ତା ୨୬ ତାରିଖ ସକାଳେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ବାତ୍ୟା ପ୍ରଭାବରେ ୨୩ ତାରିଖରେ ଆଣ୍ଡାମାନ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାକୁ ୪୫ରୁ ୫୫ କି.ମି. ବେଗରେ ପବନ ବହିବ। ବେଳେ ବେଳେ ଏହାର ବେଗ ଘଣ୍ଟା ପ୍ରତି ୭୫ କି.ମି. ଛୁଇଁପାରେ। ୨୪ ତାରିଖରୁ କେନ୍ଦ୍ରୀୟ ବଙ୍ଗୋପସାଗରର ଅଧିକାଂଶ ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କି.ମି ଏବଂ ସ୍ଥଳ ବିଶେଷରେ ୮୫ କି.ମି. ଟପିଯାଇପାରେ। ୨୫ ତାରିଖ ବେଳକୁ ଏହା ଆହୁରି ବଳଶାଳୀ ହୋଇ ସ୍ଥଳଭାଗମୁହଁା ହେବ। ଏହାର ପ୍ରଭାବରେ ମେ’ ୨୫ ତାରିଖ ରାତିରୁ ଉପକୂଳ ଓଡ଼ିଶାର ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, କଟକ, ବାଲେଶ୍ୱର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବୁଢାବଳଙ୍ଗ ଏବଂ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସାମୁଦ୍ରିକ ଝଡ଼କୁ ଦୃଷ୍ଟିରେ ରଖି ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ୨୩ ତାରିଖ ସୁଦ୍ଧା କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।
ଅପରପକ୍ଷେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ଗୁରୁବାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଗଞ୍ଜାମ, ମୟୂରଭଞ୍ଜ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ଗଜପତି ଜିଲାର ଜିଲାପାଳ, ଅତିରିକ୍ତ ଜିଲାପାଳ, ଏସ୍‌ପି, ଜିଲା ଜରୁରିକାଳୀନ ଅଧିକାରୀ, ଜିଲା ଅଗ୍ନିଶମ ସେବା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବାତ୍ୟା ମୁକାବିଲା ପାଇଁ ତୃଣମୂଳସ୍ତରରେ ସମସ୍ତ ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ରାଜ୍ୟସ୍ତରରେ ସମ୍ପୃକ୍ତ ସମସ୍ତ ବିଭାଗକୁ ପ୍ରାକ୍‌ ପ୍ରସ୍ତୁତି କରିବାକୁ ଜଣାଇ ଦିଆଯାଇଛି।
ଅନ୍ୟପକ୍ଷରେ ସମସ୍ତ ଜିଲା ପ୍ରଶାସନ ବହୁମୁଖୀ ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଗୁଡ଼ିକୁ ବ୍ୟବହାର ଉପଯୋଗୀ କରିବା ନିମନ୍ତେ କାର୍ଯ୍ୟାରମ୍ଭ କରିଛନ୍ତି। ଆଶ୍ରୟସ୍ଥଳୀଗୁଡ଼ିକରେ ବିକଳ୍ପ ବିଦ୍ୟୁତ୍‌ ଯୋଗାଣ, ପାନୀୟ ଜଳ, ପରିମଳ ବ୍ୟବସ୍ଥା ଇତ୍ୟାଦି ଉପରେ ତଦାରଖ କରାଯାଇଛି। ସ୍ଥାନାନ୍ତରଣ ସମୟରେ ବୃଦ୍ଧାବୃଦ୍ଧ, ଅସୁସ୍ଥ ବ୍ୟକ୍ତି, ଦିବ୍ୟାଙ୍ଗ, ଗର୍ଭବତୀ, ପ୍ରସୂତି ଏବଂ ଶିଶୁମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ବ୍ୟବସ୍ଥା କରାଯାଇଛି। ସମ୍ପୃକ୍ତ ଅଞ୍ଚଳର ଡାକ୍ତରଖାନାରେ ବିକଳ୍ପ ବିଦ୍ୟୁତ୍‌ ଯୋଗାଣ ପାଇଁ ଜେନେରେଟର ବ୍ୟବସ୍ଥା କରାଯାଉଛି। ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଏବଂ ଏନ୍‌ଡିଆରଏଫ୍‌ କର୍ମଚାରୀମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟା ପୂର୍ବ ଓ ପରେ ଅତ୍ୟାବଶ୍ୟକ ଦ୍ରବ୍ୟର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଜିଲାର ମତ୍ସ୍ୟ ଓ ପଶୁସମ୍ପଦ ଅଧିକାରୀଙ୍କ ଦ୍ୱାରା ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ କରାଯାଉଛି। ମତ୍ସ୍ୟଜୀବୀ ବସ୍ତିରେ ଏ ସମ୍ବନ୍ଧରେ ଜନସଚେତନତା ପାଇଁ ମାଇକ୍‌ ଯୋଗେ ପ୍ରଚାର କରାଯାଉଛି। ଗୃହ ଓ ନଗର ଉନ୍ନୟନ ବିଭାଗ, ନିର୍ମାଣ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସେମାନଙ୍କ ସମସ୍ତ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ରାସ୍ତାଘାଟର ତ୍ୱରିତ ମରାମତି, ପାନୀୟ ଜଳ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବା ନିମନ୍ତେ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶକ୍ତି ବିଭାଗ ତରଫରୁ ବାତ୍ୟା ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ବିଦ୍ୟୁତ୍‌ ସରବରାହ ଭିିତ୍ତିଭୂମିର ତ୍ୱରିତ ପୁନଃନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କୁଶଳୀ କର୍ମୀ ଦଳ ଓ ଯନ୍ତ୍ରାଂଶ ଗଚ୍ଛିତ ରଖାଯାଉଛି। ବାତ୍ୟା ସମୟରେ ଦୂରସଞ୍ଚାର ବ୍ୟବସ୍ଥା କାର୍ଯ୍ୟକ୍ଷମ ରଖିବା ଓ ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ଦୂରସଞ୍ଚାର ଭିିତ୍ତିଭୂମିର ପୁନଃକାର୍ଯ୍ୟକ୍ଷମ କରିବା ନିମନ୍ତେ ଏସ୍‌ଆରସି ଦୂରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା, ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ, ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସହ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri