କଂଗ୍ରେସରୁ ଇସ୍ତଫା ଦେଲେ ଯଜ୍ଞେଶ୍ୱର

ବଲାଙ୍ଗୀର, ୪ା୪ (ବୀରେନ୍ଦ୍ର କୁମାର ଝାଙ୍କର)ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଯଜ୍ଞେଶ୍ୱର ବାବୁ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ବୁଧବାର ବଲାଙ୍ଗୀର ସାମ୍ବାଦିକ ଭବନଠାରେ ଏକ ଖବରଦାତା ସମ୍ମିଳନୀ ଡାକି ସେ ଏହି ସୂଚନା ଦେଇଛନ୍ତି। ଯଜ୍ଞେଶ୍ୱର କହିଛନ୍ତି ଯେ, ଦେଓଗଁାରେ ବନ୍ଦ ପଡିଥିବା ବିଜୟାନନ୍ଦ ସମବାୟ ଚିନିକଳକୁ ଚଳାଇବା ପାଇଁ ସେ କଂଗ୍ରେସ ସହ ସବୁ ପ୍ରକାର ସମ୍ପର୍କ ଛିନ୍ନ କରିଛନ୍ତି। କୌଣସି ଲାଭଲୋଭ ପାଇଁ ସେ କଂଗ୍ରେସକୁ ଆସି ନ ଥିଲେ। ବନ୍ଦ ପଡିଥିବା ଚିନିକଳ ଚଳାଇବାକୁ ହେଲେ ଏହାହିଁ ପ୍ରକୃଷ୍ଟ ସମୟ। ଏବେଠୁ ଚାଷୀମାନଙ୍କୁ ପ୍ରସ୍ତୁତ କଲେ ପ୍ରାୟ ଏକ ବର୍ଷ ପରେ ଚିନିକଳ ଚାଲିବ ବୋଲି ସେ କହିଥିଲେ। ଚାଷୀମାନେ ଚିନିକଳ ଚଳାଇବାକୁ ବାରମ୍ବାର ଅନୁରୋଧ କରିଛନ୍ତି। ବଲାଙ୍ଗୀର ଜିଲାର ଚାଷୀଙ୍କ ଅର୍ଥନୈତିକ ଉନ୍ନତି କରିବାକୁ ହେଲେ ଚିନିକଳ ଚଳାଇବାକୁ ହେବ। କଂଗ୍ରେସ ଦଳ ଟିକେଟ ନଦେବାରୁ ନିର୍ବାଚନ ଠିକ୍‌ ପୂର୍ବରୁ ଇସ୍ତଫା ଦେଉଛନ୍ତି କି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପ୍ରଶ୍ନ କରିବାରୁ ସେ ଚଳିତ ନିର୍ବାଚନରେ କୌଣସି ପଦରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆବେଦନ କରି ନ ଥିଲେ। ବରଂ ୪ଦିନ ତଳେ କଂଗ୍ରେସ ଦଳରୁ ତାଙ୍କୁ ଟିଟିଲାଗଡ଼ରେ ବିଧାୟକ ପ୍ରାର୍ଥୀ ହେବାକୁ କୁହାଯାଇଥିଲା। ତାକୁ ସେ ମନା କରିଦେଇଥିବା କହିଥିଲେ। ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ନାହିଁ। ଏଥର ନିର୍ବାଚନରେ କୌଣସି ଆସନରେ ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିବା କହିଥିଲେ। ନିର୍ବାଚନ ଅବ୍ୟବହିତ ପୂର୍ବରୁ ଯଜ୍ଞେଶ୍ୱରଙ୍କ କଂଗ୍ରେସ ଦଳରୁ ଇସ୍ତଫା ଦେବା ଏବଂ ବିଶେଷକରି ଚିନିକଳ ଚଳାଇବା ପାଇଁ ସେ ଇସ୍ତଫା ଦେଉଥିବା କହିବା ଚର୍ଚ୍ଚାର ବିଷୟ ହୋଇଛି। ଖବରଦାତା ସମ୍ମିଳନୀ ପରେ ସେ ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇବେ ବୋଲି ସୂଚନା ଦେଇଥିଲେ।