ଚନ୍ଦାହାଣ୍ଡି,୨୭।୫(ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଞ୍ଚଳରୁ ରାଇଘର ଅଞ୍ଚଳକୁ ନିଜ ଗାଈ ଗୋରୁ, ବଳଦକୁ ନେଇ ଯାଉଥିବା କିଛି ଲୋକଙ୍କୁ ବେଆଇନ ଭାବେ ଗୋଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ ରାସ୍ତା ଉପରେ ଆଣ୍ଠେଇ ଆଣ୍ଠେଇ ଚଳାଇବା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମଙ୍ଗଳବାର ଅବିଭକ୍ତ କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାର ଶତାଧିକ ଯାଦବ ସମାଜ ବ୍ୟକ୍ତି ଚନ୍ଦାହାଣ୍ଡି ଥାନା ଘେରାଉ କରିଥିଲେ । ବିଭିନ୍ନ ଜିଲାରୁ ଆସିଥିବା ଶତାଧିକ ଯାଦବ ସମ୍ପ୍ରଦାୟର ବ୍ୟକ୍ତି ଏକତ୍ରିତ ହୋଇ ଚନ୍ଦାହାଣ୍ଡି କଲ୍ୟାଣ ମଣ୍ଡପ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଥାନାରେ ପହଞ୍ଚିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଥାନା ସମ୍ମୁଖରେ ନାରାବାଜି କରିବାସହ ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଚନ୍ଦାହାଣ୍ଡି ଥାନା ଘେରାଉ କରିଥିଲେ। ପୋଲିସ ସମସ୍ତ ଅଭିଯୁକ୍ତକୁ ଗିରଫ ନ କରିବା ପର୍ଯ୍ୟନ୍ତ ଥାନା ସମ୍ମୁଖରୁ ହଟିବୁ ନାହିଁ ବୋଲି ଜିଦ୍ରେ ଅଡ଼ି ବସିଥିଲେ। ସୂଚନାନୁଯାୟୀ ରାଇଘର ବ୍ଲକ ଅନ୍ତର୍ଗତ ଭାରସୋଣ୍ଡି ଅଞ୍ଚଳର କିଛି ବଙ୍ଗୀୟ,ଆଦିବାସୀ,ଗୌଡ଼ ସମ୍ପ୍ରଦାୟର କିଛି ଚାଷୀ ନିଜ ଗାଈ ଗୋରୁ ଗୁଡ଼ିକୁ ଚନ୍ଦାହାଣ୍ଡି ବ୍ଲକର ଡହିମାଲ ଗ୍ରାମରେ କିଛି ମାସ ତଳେ ଚରେଇବାକୁ ଦେଇଥିଲେ। ତେବେ ଗତ ୨୧ ତାରିଖ ଗୁରୁବାର ଚାଷ ଋତୁ ପାଖେଇ ଆସିଥିବାରୁ ନିଜ
ଗାଁକୁ ଗାଈ ବଳଦ ସବୁକୁ ନେଇ କି ଯାଉଥିଲେ। ଏହି ସମୟରେ ନିଜକୁ ବଜରଙ୍ଗ ଦଳର ସଦସ୍ୟ ବୋଲି ପରିଚୟ ଦେଇ କିଛି ଯୁବକ ଚାଷୀମାନଙ୍କୁ ବଳଦ ସହ ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଲଧୁଆପଡ଼ା ଗ୍ରାମ ନିକଟରେ ଅଟକାଇଥିଲେ। ବେଆଇନ ଭାବେ ଗୋ ଚାଲାଣ କରୁଛ ବୋଲି ଅଭିଯୋଗ ସହିତ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ପ୍ରଚଣ୍ଡ ଖରାରେ କାନ ଧରି ଆଣ୍ଠେଇବା ଓ ଆଣ୍ଠେଇ ଆଣ୍ଠେଇ ଚଲାଇ ନେଇଥିଲେ। ଏହାସହ ଏହାର ଭିଡ଼ିଓ ଉତ୍ତୋଳନ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ। କିଛି ସମୟ ମଧ୍ୟରେ ଏହି ସବୁ ଭିଡିଓ ଚାରିଆଡେ ପ୍ରଘଟ(ଭାଇରାଲ) ହୋଇଯାଇଥିଲା। ଏହି ଘଟଣା ପରେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ସହିତ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ଶ୍ରୀମନ୍ତ ରଥ ଓ ଦେବାଶିଷ ରଥକୁ ପୋଲିସ ଗିରଫ କରି ଚୁପ ବସିଥିବା ବେଳେ ସମସ୍ତ ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବାକୁ ଦାବି କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ସମୟରେ ଜିଲା ପରିଷଦ ସଭ୍ୟା କେତକୀମଲ୍ଲୀ ଗୌଡ଼, ବାସୁଦେବ ଗୌଡ଼, ଦେବଦାସ ମାହାଙ୍କୁଡ, ଜ୍ୟୋତି କଂସ, ଘନଶ୍ୟାମ କଟା, ତରୁଣ ଗୌଡ଼, ହୁମେଶ୍ୱର ହଂସ, ରମେଶ ବାଘ, ପୁରୁଷୋତ୍ତମ ବାଘ, ମାନସ ବାଘ, ନୀଳମଣି ଗୌଡ଼ଙ୍କ ସମେତ ଯାଦବ ସମାଜର ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ।